ରାସ୍ତାରେ ଗୁଳିମାଡ଼ କରି ଲୁଟ୍

କଟକ/ ଚୌଦ୍ବାର: ମହାନଦୀର ନୂଆପାଟଣା ମଧୂସୂଦନ ସେତୁ ନିକଟ କୁଶପଙ୍ଗୀ ରାଇସ୍‌ ମିଲ୍‌ ସମ୍ମୁଖରେ ଆଜି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଉତ୍ପାତ କରିଛନ୍ତି। କାର ଅଟକାଇ ଡ୍ରାଇଭରଙ୍କୁ ମାଡ଼ ମାରିବା ସହ ଗୁଳି ଫୁଟାଇ ଜଣେ ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଓ ତାଙ୍କ ଭ୍ୟାନିଟି ବ୍ୟାଗ୍ ଲୁଟି ନେଇ ଫେରାର ହୋଇଯାଇଛିନ୍ତି। ସେମାନଙ୍କୁ ବିରୋଧ କରିଥିବା ଜଣେ ବ୍ୟକ୍ତିଙ୍କ ଉପରକୁ ଗୁଳିମାଡ଼ କରିବାରୁ ସେ ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଆହତ ଜଣକ ହେଲେ, ଲାଲା ଲଳିତ୍‌ ସିଂହ। ସେମାନେ ବିରଜା ଦର୍ଶନ ସାରି ଢେଙ୍କାନାଳ ଫେରୁଥିବା ବେଳେ ଏଭଳି ଘଟଣା ଘଟିଛି। ସୂଚନା ଅନୁସାରେ, ଏକ ସୁଇଫ୍ଟ ଡିଜାୟାର କାର(ଓଡି-୦୬-ଜି-୧୭୮୬)ରେ ପତି-ପତ୍ନୀ ଯାଜପୁରରେ ବିରଜା ଦର୍ଶନ କରି ଢେଙ୍କାନାଳ ‌ଫେରୁଥିଲେ। ଡ୍ରାଇଭର କାର ଚଳାଉଥିଲେ। ମଧୁସୂଦନ ସେତୁ ନିକଟରୁ ୩ଟି ବାଇକ୍‌ରେ ୬ଜଣ ଯୁବକ କାରର ପିଛା କରିଥିଲେ। ଗୋଟିଏ ବାଇକ୍‌ କାରକୁ ଅତିକ୍ରମ କରି ମଧୁସୂଦନ ସେତୁ ପରେ ଥିବା କୁଶପଙ୍ଗୀ ରାଇସ୍‌ ମିଲ ସମ୍ମୁଖରେ କାରକୁ ଅଟକାଇ ଥିଲେ। କେହି କିଛି ବୁଝିବା ପୂର୍ବରୁ ସେମାନେ ଡ୍ରାଇଭର ପ୍ରତାପ ନାୟକଙ୍କୁ ମାଡ଼ ମାରିଥିଲେ। ଅନ୍ୟ ଯୁବକମାନେ ସେମାନଙ୍କ ପାଖରେ ପହଞ୍ଚି ଗାଡିରେ ବସିଥିବା ମହିଳାଙ୍କ ବେକରୁ ମଙ୍ଗଳସୂତ୍ର ଛିଣ୍ଡାଇ ନେବା ସହ ତାଙ୍କ ଭ୍ୟାନ୍‌ଟି ବେଗ୍‌କୁ ଛଡ଼ାଇ ନେଇଥିଲେ। ଗାଡିର ସମ୍ମୁଖରେ ବସିଥିବା ଲଳିତ ଏହାର ପ୍ରତିବାଦ କରିବାରୁ ତାଙ୍କ ମୁଣ୍ଡକୁ ଗୁଳିମାଡ କରି ଦୁର୍ବୃତ୍ତମାନେ ଫେରାର ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର