ଲିଫ୍ଟ ମାଗି ଲୁଟୁଥିଲେ ଛେଚା ଖାଇ ଜେଲ୍‌ ଗଲେ

ଖଣ୍ଡଗିରି: ପ୍ରଥମେ ବଡ଼ ବିକଳ ହୋଇ ଲିଫ୍ଟ ମାଗନ୍ତି। ପରେ ନିଛାଟିଆ ରାସ୍ତା ଦେଖି ଲୁଟନ୍ତି। ରବିବାର ରାତିରେ ସ୍ଥାନୀୟ ତପୋବନ ବସ୍ତିର ଲୋକେ ଏମିତି ଦୁଇ ଲୁଟେରାଙ୍କୁ ବହେ ଛେଚି ପୁଲିସ ଜିମା ଦେଇଥିଲେ। ସୋମବାର ଖଣ୍ଡଗିରି ଥାନା ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି। ସେମାନେ ହେଲେ ସହିଦନଗର ଥାନା ଭୋଇନଗରର ଗୌରୀଶଙ୍କର ବିନ୍ଧାଣି(୨୩) ଓ ଲକ୍ଷ୍ମୀସାଗର ଥାନା ଝାରପଡ଼ା ଜଗନ୍ନାଥବିହାରର ବାଦଲ ବେହେରା(୨୦)। ପୁଲିସ ସୂଚନାନୁସାରେ ରବିବାର ରାତି ପ୍ରାୟ ୧୦ଟାବେଳେ ଜୟଦେବ ବାଟିକାର କର୍ମଚାରୀ କ୍ଷେତ୍ରମୋହନ ପରିଡ଼ା ବାଇକ୍‌ ଯୋଗେ ସୁନ୍ଦରପଦାରୁ ଖଣ୍ଡଗିରି ଆସୁଥିଲେ। ପୋଖରୀପୁଟ ନିକଟରେ ଅଭିଯୁକ୍ତ ଗୌରୀଶଙ୍କର ଓ ବାଦଲ ହସ୍ପିଟାଲ ଯିବା ବାହାନାରେ ତାଙ୍କୁ ଲିଫ୍ଟ ମାଗିଥିଲେ। ତପୋବନ ବସ୍ତି ନିକଟରେ ପହଞ୍ଚିବା ପରେ ସେମାନେ ଶ୍ରୀ ପରିଡ଼ାଙ୍କୁ ଅଟକାଇ ମୋବାଇଲ୍ ଫୋନ୍‌ ଓ ପର୍ସ ଲୁଟିବାକୁ ଉଦ୍ୟମ କରିଥିଲେ।

ସମ୍ବନ୍ଧିତ ଖବର