ଡକାୟତି ଉଦ୍ୟମ ପଣ୍ଡ: ୪ ଜଣଙ୍କୁ ଧରିଲା ପୁଲିସ, ନକଲି ବନ୍ଧୁକ, କଟୁରି ଜବତ

ଲଙ୍କାଗୁଣ୍ଡ ପକାଇ ଲୁଟୁଥିଲେ

ଭୁବନେଶ୍ୱର: ଏକ ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ କରିଛି କମିସନରେଟ୍‌ ପୁଲିସ। ରବିବାର ବିଳମ୍ବିତ ରାତିରେ ବଡ଼ଗଡ଼ ଅଞ୍ଚଳ କେଳାସାହି ପଡ଼ିଆ ବସ୍ତି କଡ଼ରେ ଡକାୟତି ଯୋଜନା କରୁଥିବା ବେଳେ ୪ ଜଣଙ୍କୁ ଗିରଫ କରିଛି ବଡ଼ଗଡ଼ ଥାନା ପୁଲିସ। ସେମାନଙ୍କଠାରୁ ଏକ ନକଲି ବନ୍ଧୁକ ସହ ଦୁଇଟି କଟୁରି, ଲୁହା ଛଡ଼ ଓ ଲଙ୍କାଗୁଣ୍ଡ ପ୍ୟାକେଟ୍‌ ଜବତ କରାଯାଇଛି। ପୂର୍ବରୁ ବିଭିନ୍ନ ଅପରାଧରେ ବ୍ୟବହୃତ ଏକ ବାଇକ୍ (ଓଡି ୦୨ ଏଏସ୍‌ ୨୭୩୫)ମଧ୍ୟ ସେମାନଙ୍କ ନିକଟରୁ ଜବତ କରାଯାଇଛି। ସେମାନେ ହେଉଛନ୍ତି ନାଗେଶ୍ବର ଟାଙ୍ଗୀର ମାନସ ନାୟକ ଓରଫ ଗାଲୁଆ, ବିଜେବି ନଗର ବିଜୟଲକ୍ଷ୍ମୀ ବସ୍ତିର ସୀମାଞ୍ଚଳ ଗୌଡ଼ ଓ ସନ୍ତୋଷ ପ୍ରଧାନ ଓରଫ ଅଜୁ, ଲକ୍ଷ୍ମୀସାଗରର ଅବିନାଶ ଲେଙ୍କା ଓରଫ ପିଣ୍ଟୁ। ସମସ୍ତଙ୍କ ନାମରେ ଚୋରି, ଡକାୟତି, ଛିନ୍‌ତାଇ ଓ ଲୁଟ୍‌ ଭଳି ଅଭିଯୋଗ ରହିଛି। ଗାଲୁଆ ଓ ଅଜୁଙ୍କ ନାମରେ ସର୍ବାଧିକ ମାମଲା ରହିଛି। ଗାଲୁଆ ନାମରେ ବଡ଼ଗଡ଼ ଥାନାରେ ୫ଟି ଓ ଶ୍ରୀଲିଙ୍ଗରାଜ ଥାନାରେ ୪ଟି, ଏଭଳି ୯ଟି ମାମଲା ରହିଥିବା ବେଳେ ଅଜୁ ନାମରେ କେବଳ ବଡ଼ଗଡ଼ ଥାନାରେ ୯ଟି ମାମଲା ରହିଛି। ସେହିଭଳି ସୀମାଞ୍ଚଳ ଗୌଡ଼ ନାମରେ ୮ଟି ମାମଲା ରହିଛି। କେବଳ ବଡ଼ଗଡ଼ ଥାନାରେ ୭ଟି ମାମଲା ରହିଥିବା ବେଳେ ଶ୍ରୀଲିଙ୍ଗରାଜ ଥାନାରେ ଗୋଟିଏ ମାମଲା ରହିଛି। ପିଣ୍ଟୁ ନାମରେ ବଡ଼ଗଡ଼ ଥାନାରେ ୫ଟି ମାମଲା ରହିଛି। ସେମାନେ ରାତିରେ ଏକ ବଡ଼ ଡକାୟତି ପାଇଁ ଯୋଜନା କରୁଥିଲେ। ଖବର ପାଇ ବଡ଼ଗଡ଼ ଓ ଲକ୍ଷ୍ମୀସାଗର ପୁଲିସର ଏକ ସ୍ବତନ୍ତ୍ର ଟିମ୍‌ ଗିରଫ କରିଥିବା କହିଛନ୍ତି ପୁଲିସ କମିସନର ସତ୍ୟଜିତ ମହାନ୍ତି। ପୂର୍ବରୁ ଘଟିଥିବା ମାମଲାଗୁଡ଼ିକରେ ଛିନ୍‌ତାଇ, ଡକାୟତି, ଲୁଟ୍‌ ଓ ଚୋରି ଅଭିଯୋଗ ରହିଛି। ଆଖିରେ ଲଙ୍କାଗୁଣ୍ଡ ପକାଇ ଏମାନେ ସଂଘବଦ୍ଧ ଭାବରେ ଲୁଟ୍‌ କରୁଥିଲେ। ଖଣ୍ଡେ ଦୂରରେ ଦୁଇଜଣ ଜଗି ରହୁଥିବା ବେଳେ ଆଉ ଦୁଇଜଣ କିଛି ଦୂରରେ ରହୁଥିଲେ। ସୁନା ଚେନ୍‌ ବା ମୂଲ୍ୟବାନ୍‌ ଅଳଙ୍କାର ପିନ୍ଧି କିଏ ଯାଉଥିବା ନେଇ ଦୁଇଜଣ ଖବର ଦେବାପରେ ଅନ୍ୟ ଦୁଇଜଣ ସମ୍ପୃକ୍ତ ବାଇକ୍‌ ଚାଳକକୁ ଟାର୍ଗେଟ କରୁଥିଲେ। ଦୁଇଜଣଙ୍କଠାରୁ ମିଳିଥିବା ସୂଚନା‌ ଅନୁସାରେ ବାଇକ୍‌କୁ ଅଟକାଇ ନକଲି ବନ୍ଧୁକ ଓ କଟୁରି ଦେଖାଇ ଭୟଭୀତ କରାଇ ଲୁଟ୍‌ କରୁଥିଲେ। ତେବେ ଅଭିଯୁକ୍ତଙ୍କଠାରୁ କୌଣସି ଲୁଟ୍‌ ସାମଗ୍ରୀ ଜବତ କରାଯାଇ ନାହିଁ।

ସମ୍ବନ୍ଧିତ ଖବର