ଧଉଳି: ଗତ କିଛି ଦିନ ହେଲା ଧଉଳି ଥାନା ଅଞ୍ଚଳରେ ଆତଙ୍କରାଜ ଚଳାଇଥିବା ୫ ଜଣିଆ ଏକ ଦୁର୍ଦାନ୍ତ ଡକାୟତ ଗ୍ୟାଙ୍ଗକୁ ଧଉଳି ଥାନା ପୁଲିସ କାବୁ କରିଛି। ଗୁରୁବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୨ଟାରେ ଉକ୍ତ ଥାନା ଅଧୀନ ଶିଶୁପାଳଗଡ଼ ନିକାଞ୍ଚନ ସ୍ଥାନ ଦଶହରା ପଡ଼ିଆରେ ଏହି ଗ୍ୟାଙ୍ଗ ଡକାୟତି ପାଇଁ ଯୋଜନା କରୁଥିବା ସଂପର୍କରେ ଖବର ପାଇ ଧଉଳି ଥାନା ପୁଲିସ ଓ ପିସିଆର ଭ୍ୟାନ ସେଠାରେ ଅତର୍କିତ ଚଢ଼ଉ କରି ସେମାନଙ୍କୁ ଧରିବାରେ ସଫଳ ହୋଇଥିବା ତଦନ୍ତ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ବିଜୟ କୁମାର ସାହୁ କହିଛନ୍ତି। ଗ୍ୟାଙ୍ଗର ସଦସ୍ୟମାନେ ହେଲେ, ଶିଶୁପାଳଗଡ଼ର ବଳରାମ ଜେନା (୨୨) ଓରଫ ବଳିଆ, ଦିଲ୍ଲୀପ ଭୋଇ (୧୯) ଓରଫ ରାଜା, ପ୍ରସନ୍ନ ରଂଜନ ଭୋଇ (୨୩) ଓରଫ ବୁବୁନା ଏବଂ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଝାରପଡ଼ାର କମର ଅଲ୍ଲି ଖାନ୍ (୨୦) ଓରଫ ବବୁଲ। ଏଥିସହ ସେମାନଙ୍କ ସହିତ ସଂପୃକ୍ତ ଆଉ ଜଣେ ନାବାଳକକୁ ମଧ୍ୟ ପୁଲିସ ଅଟକ ରଖିଛି। ସେମାନଙ୍କ ନିକଟରୁ ପୁଲିସ ଦୁଇଟି ଚୋରି ବାଇକ୍ ସମେତ ଡକାୟତି ବେଳେ ବ୍ୟବହୃତ ଦୁଇଟି ଚାପଡ଼, ୨ ଟର୍ଚ ଲାଇଟ୍, ୨ଟି ଠେଙ୍ଗା, ୩ଟି ମୋବାଇଲ, ୬ ପିସ୍ କଳା କପଡ଼ା, ଗୋଟିଏ ଲୁହାଛଡ଼ ଓ ଆଉ ଗୋଟିଏ ମୁନା ମଧ୍ୟ ଜବତ କରିଛି। ଏ ସଂକ୍ରାନ୍ତରେ ଧଉଳି ଥାନାରେ କେସ୍ ନଂ ୮୮ / ୧୮ ରେ ଭିନ୍ନ ଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ଥାନା ଅଧିକାରୀ ଜୟଦେବ ବିଶ୍ୱଜିତ୍ଙ୍କ କହିବାନୁଯାୟୀ ଏମାନଙ୍କ ନାମରେ ବିଶେଷ କରି ଶ୍ରୀଲିଙ୍ଗରାଜ ଥାନା ଓ ବଡ଼ଗଡ଼ ଓ ଧଉଳି ଥାନା ଅଞ୍ଚଳରେ ବାଇକ୍ ଲୁଟ୍ ମାମଲା ରହିଛି। ଏମାନେ ମଧ୍ୟ ଭୁବନେଶ୍ୱର-କଟକ ବାଇପାସ୍ ଜାତୀୟ ରାଜପଥ ଓ ରାଜଧାନୀ ଉପକଣ୍ଠ ଅଞ୍ଚଳରେ ନିଛାଟିଆ ମୁଖ୍ୟ ରାସ୍ତାରେ ହୋଇଥିବା ଛିନ୍ତାଇ ମାମଲାରେ ମଧ୍ୟ ସଂପୃକ୍ତ।
ଡକାୟତି ଉଦ୍ୟମ ପଣ୍ଡ, ୫ ଗିରଫ
/sambad/media/post_attachments/wp-content/uploads/2018/06/balianta-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)