ଖଣ୍ଡଗିରି: ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡ଼ା ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ସାଢ଼େ ୧୧ଟାରେ ଜଣେ ସୁରକ୍ଷା କର୍ମୀଙ୍କଠାରୁ ଲୁଟ୍‌ ହୋଇଛି। ସେ ହେଲେ, ଡମପଡ଼ା ଅଞ୍ଚଳର ଶ୍ରୀକାନ୍ତ ପ୍ରଧାନ (୪୫)। ଲୁଟେରାମାନେ ତାଙ୍କଠାରୁ ୭ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇଛନ୍ତି। ଶ୍ରୀକାନ୍ତ ଭୁବନେଶ୍ୱରରେ ଏକ ଘରୋଇ ସିକ୍ୟୁରିଟି ସଂସ୍ଥାରେ କାମ କରନ୍ତି। ଆଜି ସଂଧ୍ୟାରେ ଡ୍ୟୁଟି ସାରିବା ପରେ ତାଙ୍କୁ ଦରମା ମିଳିଥିଲା। ସେ ଏକ ସ୍କୁଟିରେ ଭୁବନେଶ୍ୱରରୁ ବାଙ୍କୀ ଅଭିମୁଖେ ବାହାରିଥିଲେ। ଜାତୀୟ ରାଜପଥରେ ତଳଖେତା ଛକ ପାର୍‌ ହୋଇ ସେ ଯାଉଥିବା ବେଳେ ଗଙ୍ଗପଡ଼ା ଛକ ପୂର୍ବରୁ ୩ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ତାଙ୍କୁ ଅଟକାଇ ଅତର୍କିତ ଆକ୍ରମଣ କରିଥିଲେ। ଜଣେ ଦୁର୍ବୃତ୍ତ ହେଲମେଟ୍‌ରେ ଶ୍ରୀକାନ୍ତଙ୍କ ମୁଣ୍ଡକୁ ପିଟି ଦେଇଥିଲା। ସେ ମୁଣ୍ଡକୁ ଧରି ତଳେ ବସି ପଡ଼ିବାରୁ ଏହି ସୁଯୋଗରେ ଲୁଟେରାମାନେ ତାଙ୍କ ବ୍ୟାଗ୍‌ ଓ ଗାଡ଼ି ଚାବି ଛଡ଼ାଇ ଖୋର୍ଧା ଆଡ଼କୁ ପଳାଇଥିଲେ।