ଏସ୍‌ଓଜି ଯବାନଙ୍କୁ ନିଶା ଦେଇ ଲୁଟ୍‌

ଖଣ୍ଡଗିରି: ଶେଷକୁ ଜଣେ ଏସ୍‌ଓଜି ଯବାନଙ୍କୁ ବି ଶିକାର କରିଦେଲେ ରାଜଧାନୀର ନିଶାଦିଆ ଲୁଟେରା। ସେ ହେଲେ ଆସାମରେ କାମ କରୁଥିବା ବୋଡ଼ରାମ ଗୁରୁଙ୍ଗୁ(୩୫)। ସେହିଭଳି ଆଉ ଜଣେ ଅଣଓଡ଼ିଆ ମଧ୍ୟ ସେମାନଙ୍କ ଫାଶରେ ପଡ଼ି ସବୁ କିଛି ହରାଇ ବସିଛନ୍ତି। ସେ ହେଲେ ଝାଡ଼ଖଣ୍ଡ ମାଝାଗାଁ ଥାନା ହଳଦିଆର ସଂଜୀବ ଚତାର(୨୦)। ଲୁଟେରାମାନେ ତାଙ୍କଠାରୁ ୫ ହଜାର ଟଙ୍କା ଓମୋବାଇଲ୍‌ ଫୋନ୍‌ ଲୁଟି ନେଇଛନ୍ତି। ସୂଚନାନୁସାରେ ଏସ୍‌ଓଜି ଯବାନ୍ ବୋଡ଼ରାମଙ୍କୁ ଆଜି ସକାଳେ ପିସିଆର୍ ଭ୍ୟାନ୍‌ ସଂଜ୍ଞାହୀନ ଅବସ୍ଥାରେ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଉଦ୍ଧାର କରିଥିଲା। ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା ଓ ବହୁ ସମୟ ପରେ ସନ୍ଧ୍ୟାରେ ସେ ଚେତା ଫେରି ପାଇଥିଲେ। ପରେ ତାଙ୍କ ପରିଚୟ ଜଣାପଡ଼ିଥିଲା। କୌଣସି କାମରେ ସେ ଓଡ଼ିଶା ଆସି ସମ୍ବଲପୁର ଯିବାର ଥିଲା। ଗତକାଲି ରାତିରେ ସେ ପୁରୁଷୋତ୍ତମ ଏକ୍‌ସପ୍ରେସ୍‌ ଟ୍ରେନ୍‌ରୁ ଭୁବନେଶ୍ବରରେ ଓହ୍ଲାଇଥିଲେ ଓ ଆଜି ସକାଳେ ସମ୍ବଲପୁର ଇଣ୍ଟରସିଟି ଯୋଗେ ସମ୍ବଲପୁର ଯାଇଥାଆନ୍ତେ। କିନ୍ତୁ କେହି ନିଶାଦିଆ ଲୁଟେରା ତାଙ୍କୁ ଫସାଇ ନିଶାଦେଇ ଲୁଟ୍‌ କରିବା ପରେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଛାଡ଼ି ଦେଇଥିଲା। ସେହିଭଳି ସଂଜୀବ ଗତକାଲି ତାମିଲନାଡ଼ୁରୁ ଟ୍ରେନ୍‌ ଯୋଗ‌େ ଆସି ଭୁବନେଶ୍ବରରେ ଓହ୍ଲାଇଥିଲେ ଓ ଆଜି ସକାଳୁ ସେ ଅନ୍ୟ ଏକ ଟ୍ରେନ୍‌ ଯୋଗେ ଝାଡ଼ଖଣ୍ଡ ଯାଇଥାଆନ୍ତେ। କିନ୍ତୁ କେହି ନିଶାଦିଆ ଲୁଟେରା ତାଙ୍କୁ ବେହୋସ୍ କରାଇବା ପରେ ତାଙ୍କର ବ୍ୟାଗ୍‌ ଲୁଟି ନେଇ କ୍ୟାପିଟାଲ ହାଟ ପଛପଟେ ଫିଙ୍ଗି ଦେଇଥିଲା। କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଓ ସ୍ବେଚ୍ଛାସେବୀ ସଂଗଠନ ‘ସହାୟ’ ପକ୍ଷରୁ ସେମାନଙ୍କ ଚିକିତ୍ସା ଓ ଯତ୍ନ ନିଆଯାଉଛି।

ସମ୍ବନ୍ଧିତ ଖବର