ମଦ ଦୋକାନ କାନ୍ଥ ଭାଙ୍ଗି ଲୁଟିନେଲେ ମଦ

ବାଲିଅନ୍ତା: ସୋମବାର ବିଳମ୍ବିତ ରାତିରେ ବାଲିଅନ୍ତା ଥାନା ଓ କଟକ ଜିଲ୍ଲା ଓଲଟପୁର ଥାନା ଅଞ୍ଚଳରେ ଖୋଲିଥିବା ନୂତନ ସରକାରୀ ଦୋକାନର ପଛପାର୍ଶ୍ୱ କାନ୍ଥ ଭାଙ୍ଗି ଦୁର୍ବୃତ୍ତମାନେ ଦୁଇ ଲକ୍ଷରୁ ଅଧିକ ଟଙ୍କାର ବିଦେଶୀ ମଦ ଓ ବିଅର ଲୁଟି ନେଇଛନ୍ତି। ଏ ସଂପର୍କରେ କିନ୍ତୁ କୌଣସି ଥାନାରେ ଅଭିଯୋଗ ହୋଇନି।

ସୂଚନାନୁଯାୟୀ ଗତ ମାସେ ହେବ ଉକ୍ତ ସରକାରୀ ମଦ ଦୋକନ ଜୟଦେବ ପଞ୍ଚାୟତ ନିକଟସ୍ଥ ଫିରିଫିରା ସେତୁ ରାସ୍ତା ପାର୍ଶ୍ୱରେ ଖୋଲିଛି। ଜୟଦେବ ପୀଠକୁ ସଂଯୋଗ କରୁଥିବା ଏହି ରାସ୍ତାରେ ପ୍ରତିଦିନ ଶହଶହ ପର୍ଯ୍ୟଟକ ଯାଇଥାନ୍ତି। ଏଥିସହିତ ସ୍ଥାନୀୟ ଅଞ୍ଚଳର ସ୍କୁଲ କଲେଜ ପିଲାମାନେ ମଧ୍ୟ ଅଡ଼ଶପୁର ଓ କଣ୍ଟାପଡ଼ା ଯାଇଥାନ୍ତି। ଜୟଦେବ ବିଧାୟକ ତଥା ଅବକାରୀ ଓ ଅର୍ଥମନ୍ତ୍ରୀଙ୍କ ଅଞ୍ଚଳରେ ସ୍ଥାନୀୟ ଲୋକ ସରକାରଙ୍କ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ଘୋର ବିରୋଧ କରିଛନ୍ତି। ଏହାକୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଦୋକାନୀଙ୍କୁ ନୋଟିସ୍‌ ଦେଇ ସାରିଛନ୍ତି। ହେଲେ ତା’ ପୂର୍ବରୁ ଗତକାଲି ସନ୍ଧ୍ୟାରେ ମଦ କାଉଣ୍ଟର୍‌ ଆଗରେ ଏହାକୁ ବିରୋଧ କରି ମଦ ଦୋକାନୀଙ୍କ ସମର୍ଥିତ କର୍ମଚାରୀ ଓ କିଛି ଯୁବକଙ୍କ ମଧ୍ୟରେ ହାତାହାତି ହୋଇଥିଲା। ହେଲେ ରାତି ଅଧରେ ଦୁର୍ବୃତ୍ତମାନେ ଦୋକାନ ପଛ କାନ୍ଥ ଭାଙ୍ଗି ଭିତରେ ପଶି ପାଖାପାଖି ଦୁଇ ଲକ୍ଷରୁ ଅଧିକ ଟଙ୍କାର ବିଅର ଓ ମଦ ପେଟି ଚୋରି କରି ନେଇଛନ୍ତି । ମଦ ଦୋକାନ ହଟାଇବା ବିରୋଧରେ ସରପଞ୍ଚ ପ୍ରଜ୍ଞାପାରମିତା ଜେନାମଣିଙ୍କ ତତ୍ତ୍ୱାବଧାନରେ ସମୂହ ଅଭିଯୋଗ କଟକ ଅବକାରୀ କର୍ତ୍ତୃପକ୍ଷ ଓ ଭୁବନେଶ୍ୱର ଏଡିଏମ୍‌ଙ୍କ ନିକଟରେ ହୋଇଥିବା ବେଳେ ମଦ ଦୋକାନ ସ୍ଥାନାନ୍ତର ନେଇ ନିର୍ଦ୍ଦେଶ ହୋଇିଥିବା ମନ୍ତ୍ରୀ ଶଶିଭୂଷଣ ବେହେରା କହିଛନ୍ତି ।

ସମ୍ବନ୍ଧିତ ଖବର