୨ କୁଖ୍ୟାତ ଲୁଟେରା ଗିରଫ: ବନ୍ଧୁକ, ଖଣ୍ଡା, ବୋମା, ବାରୁଦ ଜବତ

ଖଣ୍ଡଗିରି: ଶନିବାର ବିଳମ୍ବିତ ରାତିରେ ଜଟଣୀ ଥାନା ଓ ଯାଁଳା ଫାଣ୍ଡି ପୁଲିସ ମିଳିତ ଚଢ଼ଉ କରି ଗଙ୍ଗପଡ଼ା ଅଞ୍ଚଳର ଏକ ଲୁଟେରା ଗ୍ୟାଙ୍ଗକୁ ଠାବ କରିବା ସହ ୨ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନେ ହେଲେ, ଯାଁଳା ଫାଣ୍ଡି ଅନ୍ତର୍ଗତ ପିତାପଲ୍ଲୀର ରିଙ୍କୁ ପ୍ରଧାନ(୨୮) ଓ ଗଙ୍ଗପଡ଼ାର ରାକେଶ ସାହୁ ଓରଫ୍ ବବୁଲ୍(୨୬)। ସେମାନଙ୍କଠାରୁ ୬ ରାଉଣ୍ଡ ବିଶିଷ୍ଟ ଗୋଟିଏ ଦେଶୀ ରିଭଲଭର୍, ୪ଟି ଗୁଳି, ଦୁଇଟି ବୋମା, ଗୋଟିଏ ଖଣ୍ଡା ଓ ବୋମା ତିଆରି ପାଇଁ ଆବଶ୍ୟକ ସରଞ୍ଜାମ ସମେତ ୧କେଜି ବାରୁଦ ଜବତ ହୋଇଛି। କୋର୍ଟରେ ସେମାନଙ୍କ ଜାମିନ୍ ନାମଞ୍ଜୁର ହେବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୂଚନାନୁସାରେ, ଗତ ରାତିରେ ଗଙ୍ଗପଡ଼ା ପୁରୁଣା ଟୋଲ୍‌ଗେଟ୍‌ ନିକଟରେ ୫ ଜଣିଆ ଏକ ଡକାୟତ ଗ୍ୟାଙ୍ଗ୍ ବୋମା ଭିଡ଼ୁଥିବା ଜଟଣୀ ଥାନା ପୁଲିସ ଖବର ପାଇଥିଲା। ଏକ ବଡ଼ ଧରଣର ଡକାୟତି କରିବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିଲା ଏହି ଗ୍ୟାଙ୍ଗ। କିନ୍ତୁ ଯାଁଳା ଫାଣ୍ଡି ପୁଲିସ ସହଯୋଗରେ ଜଟଣୀ ପୁଲିସ ଉକ୍ତ ଆଡ଼ାରେ ଚଢ଼ଉ କରିଥିଲା। ପୁଲିସକୁ ଦେଖି ୩ଜଣ ନିକଟସ୍ଥ କାଜୁ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ। ମାତ୍ର ଗ୍ୟାଙ୍ଗର ମୁଖିଆ ରିଙ୍କୁ ଓ ବବୁଲ୍ ଧରାପଡ଼ି ଯାଇଥିଲେ। ସେତେବେଳକୁ ସେମାନେ ୨ଟି ବୋମା ତିଆରି କରି ସାରିଥିଲେ। ରିଙ୍କୁ ପାଖରୁ ରିଭଲଭର୍‌ ମିଳିଥିଲା। ଘଟଣାସ୍ଥଳରୁ ବୋମା ତିଆରି ପାଇଁ ବ୍ୟବହୃତ ହେଉଥିବା ଝୋଟ ସୁତୁଲି, ଚିପ୍ସ, ବାରୁଦ ଆଦି ଜବତ କରାଯାଇଥିଲା। ଜବତ ବାରୁଦର ଓଜନ ପ୍ରାୟ ୧ କେଜି ଓ ଏଥିରୁ ଆହୁରି ପାଖାପାଖି ୧୦ଟି ବୋମା ତିଆରି ହୋଇଥାଆନ୍ତା ବୋଲି ପୁଲିସ କହିଛି। କୌଣସି ଏକ ବଡ଼ ଧରଣର ଡକାୟତି କରିବା ପାଇଁ ଏହି ଗ୍ୟାଙ୍ଗ୍ ପ୍ରସ୍ତୁତ ହେଉଥିଲା ବୋଲି ପୁଲିସ ଅନୁମାନ କରିଛି। ପୁଲିସ ସୂଚନାନୁସାରେ ରିଙ୍କୁର ଏହି ଗ୍ୟାଙ୍ଗ୍ ଉଭୟ ୧୬ ନମ୍ବର ଜାତୀୟ ରାଜପଥ ଓ ପିତାପଲ୍ଲୀ-ବାରଙ୍ଗ ରାସ୍ତାରେ ରାହାଜାନୀ କରନ୍ତି। ଏମାନେ ପିତାପଲ୍ଲୀ ବାରଙ୍ଗ ରାସ୍ତାକୁ ଅଧିକ ଟାର୍ଗେଟ୍‌ କରନ୍ତି। ନିଛାଟିଆ ଓ ପୁଲିସ ପାଟ୍ରୋଲିଂ କମ୍ ହେଉଥିବାରୁ ଏହି ରାସ୍ତାରେ ଡକାୟତି କରିବା ଏମାନଙ୍କୁ ସହଜ ହୋଇଥାଏ। ସେହିଭଳି ରାତିରେ ଜାତୀୟ ରାଜପଥ ଉପରେ କାର୍ ବା ବାଇକ୍ ଆରୋହୀଙ୍କୁ ଅଟକାଇ ମାଡ଼ ମାରିବା ସହ ସେମାନଙ୍କୁ ଏହି ଗ୍ୟାଙ୍ଗ୍ ଲୁଟୁଥିଲା। ବାହାର ରାଜ୍ୟର ଟ୍ରକ୍ ଚାଳକମାନଙ୍କୁ ମାଡ଼ ମାରି ଟଙ୍କା ପଇସା ଲୁଟିନେବା ଭଳି ମାମଲାରେ ଏହି ଗ୍ୟାଙ୍ଗର ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇ ଆସୁଥିଲା। ରିଙ୍କୁ ନାଁରେ ଖୋର୍ଧା ସଦର, ଟାଉନ୍ ଓ ଜଟଣୀ ଥାନାରେ ପୁରୁଣା ମାମଲା ସବୁ ରହିଛି। ଡକାୟତି ବେଳେ ବୋମାମାଡ଼ କରିବା, ଗୁଳି ଚାଳନା କରିବା କିମ୍ବା ଖଣ୍ଡାରେ ହାଣି ଦେବା ଭଳି ଭୟଙ୍କର କାଣ୍ଡ କରିବା ପାଇଁ ଏହି ଗ୍ୟାଙ୍ଗର ସଦସ୍ୟମାନେ ପଛାନ୍ତି ନାହିଁ ବୋଲି ପୁଲିସ ସୂଚନା ଦେଇଛି। ଖୁବ୍ ଶୀଘ୍ର ଫେରାର୍ ହୋଇ ଯାଇଥିବା ୩ ଜଣଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ସମ୍ବନ୍ଧିତ ଖବର