ଦୁଇ ଲୁଟେରା ଗିରଫ: ନମ୍ବର ବିହୀନ ପଲସର, ୬ ହଜାର ଟଙ୍କା ସହ ୬ ମୋବାଇଲ ଓ ବନ୍ଧୁକ ଜବତ
ଭୁବନେଶ୍ୱର: ଜଣେ ମହିଳାଙ୍କ ହାତରୁ ପର୍ସ ଛଡ଼ାଇ ନେଇ ପଳାଉଥିବା ବେଳେ ଦୁଇଜଣ ଲୁଟେରାକୁ କାବୁ କରୁଛନ୍ତି ସ୍ଥାନୀୟ ଲୋକେ। ଦୁଇଜଣଙ୍କୁ ଉତ୍ତମ ମଧ୍ୟମ ଦେବା ପରେ ବଡ଼ଗଡ଼ ଥାନା ପୁଲିସର ଜିମା ଦେଇଛନ୍ତି। ପୁଲିସ ସେମାନଙ୍କଠାରୁ ଗୋଟିଏ ରିଭଲଭର୍ ସହ ୬ ହଜାର ଟଙ୍କା, ୬ଟି ମୋବାଇଲ, ଏକ ନମ୍ବର ବିହୀନ ବାଇକ୍ ଜବତ କରିଛି। ଲୁଟେରାଦ୍ବୟଙ୍କ ମଧ୍ୟରୁ ଜଣେ ନାବାଳକ। ଅନ୍ୟ ଜଣେ ହେଲା, ଲକ୍ଷ୍ମୀସାଗର ଲେଙ୍କା ମଝି ସାହିର କାହ୍ନା ଲେଙ୍କା। କାହ୍ନାକୁ କୋର୍ଟଚାଲାଣ କରାଯାଇଥିବା ବେଳେ ନାବାଳକକୁ ଜେଜେବି(କିଶୋର ନ୍ୟାୟ ବୋର୍ଡକୁ ପଠାଇ ଦିଆଯାଇଛି। ସହରର ବିଭିନ୍ନ ଛିନ୍ତାଇ ମାମଲାରେ ଏହି ଦୁଇଜଣଙ୍କ ସଂପୃକ୍ତି ଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି। ନିଶା ଖାଇବା ପାଇଁ ସେମାନେ ମହିଳାଙ୍କୁ ଟାର୍ଗେଟ୍ କରି ସେମାନଙ୍କର ପର୍ସ ଲୁଟି ନେଉଥିବା ସ୍ବୀକାର କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳର ବିଦ୍ୟୁତ୍ପ୍ରଭା ପଣ୍ଡା ଭୁବନେଶ୍ବରରେ ସପରିବାର ରୁହନ୍ତି। ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ସେ ତାଙ୍କ ମା’ଙ୍କ ସହ ସ୍କୁଟିରେ ବସାଇ ପାରାମାଉଣ୍ଟ କ୍ଲବ୍ରୁ କଳ୍ପନା ଛକ ଆଡ଼େ ଯାଉଥିଲେ। ପାରାମାଉଣ୍ଟ ଛକରେ ଦୁଇଜଣ ଯୁବକ ଏକ ବାଇକ୍ରେ ଆସି ମା’ଙ୍କ ପର୍ସ ଭିଡ଼ି ନେଇ ପଳାଇଥିଲେ। ସେଥିରେ ୬ ହଜାର ନଗଦ ଟଙ୍କା ଓ ଦୁଇ ଜଣଙ୍କର ମୋବାଇଲ ରହିଥିଲା। ଛକରେ ଥିବା କେତେଜଣ ଯୁବକ ଏହା ଦେଖି ଲୁଟେରାଙ୍କୁ ଗୋଡ଼ାଇ ଗୋଡ଼ାଇ ପ୍ରାୟ ଅଧ କିଲୋମିଟର ଦୂରରେ ମାଡ଼ି ବସି ନିର୍ଧୁମ୍ ଛେଚିଥିଲେ।