ଆକ୍ରମଣ କରି ପଥଚାରୀଙ୍କୁ ଲୁଟୁଥିବା ୨ ଯୁବକ ଗିରଫ

ବାଇକ୍‌ ଓ ୧୦ ମୋବାଇଲ୍‌ ଫୋନ୍‌ ଜବତ

ଭୁବନେଶ୍ୱର: ଲୁଟପାଟ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ୨ଜଣ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଗୋଟିଏ ବାଇକ୍‌ ଓ ୧୦ଟି ମୋବାଇଲ୍‌ ଫୋନ୍‌ ଜବତ କରିଛି। ସେମାନେ ହେଲେ ସହିଦନଗର ଥାନା ଅଧୀନ ପଥରବନ୍ଧ ବସ୍ତିର ସତ୍ୟବ୍ରତ ସାମଲ(୨୩) ଓ ଦୀପକ କୁମାର ମଲ୍ଲିକ(୨୧)। ଗତ ୯ତାରିଖ ରାତିରେ ସୌମ୍ୟରଞ୍ଜନ ପାଣିଗ୍ରାହୀ ନାମକ ଜଣେ ଯୁବକ ଖାରବେଳନଗରରୁ ସତ୍ୟନଗର ପ୍ରେସ୍‌ କଲୋନି ସ୍ଥିତ ଘରକୁ ଫେରୁଥିଲେ। ତେବେ ସୌମ୍ୟଙ୍କୁ ପିଛା କରୁଥିବା ସତ୍ୟବ୍ରତ ଓ ଦୀପକ ଘର ପାଖ ଏକ ଅନ୍ଧାରିଆ ରାସ୍ତାରେ ଏକୁଟିଆ ପାଇ ହଠାତ୍‌ ତାଙ୍କୁ ଆକ୍ରମଣ କରିଥିଲେ। ଏହାପରେ ସୌମ୍ୟଙ୍କ ମୋବାଇଲ୍‌ ଛଡ଼ାଇ ନେଇଥିଲେ। ଏ ନେଇ ସୌମ୍ୟ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଗୁରୁବାର ରାତିରେ ପଥରବନ୍ଧ ବସ୍ତିରେ ଚଢ଼ଉ କରି ଉଭୟଙ୍କୁ ଗିରଫ କରିଥିଲା। ପଚରାଉଚରା ପରେ ସେମାନେ ୧୦ଟି ମୋବାଇଲ୍‌ ଓ ଗୋଟିଏ ବାଇକ ରଖିଥିବା ମାନିଥିଲେ।

ସମ୍ବନ୍ଧିତ ଖବର