ଲୁଟେରା ଗିରଫ, ଟଙ୍କା, ମୋବାଇଲ ଓ ବାଇକ ଜବତ

ଭୁବନେଶ୍ୱର: ବାଣୀବିହାର ଓଭର ବ୍ରିଜ୍‌ ଉପରୁ ଲୁଟ୍‌ କରିଥିବା ତିନି ଜଣ ଦୁର୍ବୃତ୍ତଙ୍କୁ ସହିଦନଗର ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କର ନାଁ ଅଶୋକ କୁମାର ବାରିକ (୨୫), ଆଜାଦ ଖାଁ (୨୬), ସୁଧୀର କୁମାର ବେହେରା (୨୫) ସମସ୍ତଙ୍କ ଘର ମଞ୍ଚୋଶ୍ୱର ଅଞ୍ଚଳରେ। ପୁଲିସ ସେମାନଙ୍କଠାରୁ ଚୋରି ହୋଇଥିବା ଟଙ୍କା, ମୋବାଇଲ ଓ ବାଇକ ଜବତ କରିଛି।
ପୁଲିସ ସୂଚନାନୁଯାୟୀ ଗତ ମାସ ୨ ତାରିଖ ଦିନ ଖଣ୍ଡଗିରି ଅଞ୍ଚଳର ଦୀନେଶ ସାହୁ ନାମକ ଜଣେ ବ୍ୟକ୍ତି ବାଣୀବିହରା ଓଭର ବ୍ରିଜ୍‌ ଉପରେ ଯାଉଥିବା ସମୟରେ ଅଶୋକ, ଆଜାଦ ଓ ସୁଧୀର ତାଙ୍କୁ ଅଟକାଇ ଭୁଜାଲି ଲଗାଇ ଟଙ୍କା, ମୋବାଇଲ ଫୋନ୍‌ ଲୁଟି ନେଇ ରସୁଲଗଡ଼ ପଟକୁ ଚାଲିଯାଇଥିଲେ। ଏନେଇ ଦୀନେଶ ସହିଦ ନଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମଙ୍ଗଳବାର ପୁଲିସ ବିଶେଷ ସୁତ୍ରରୁ ଖବର ପାଇ ମଞ୍ଚେଶ୍ୱର ଅଞ୍ଚଳରୁ ସନ୍ଦେହରେ ଅଶୋକକୁ ଥାନାକୁ ଉଠାଇ ଆଣି ପଚରାଉଚରା କରିବାରୁ ସେ ପୁଲିସ ଆଗରେ ସବୁ ସତ କଥା ମାନିଯାଇଥିଲା। ପୁଲିସ ଅଶୋକ ଦେଇଥିବା ତଥ୍ୟକୁ ଭିତ୍ତି କରି ଆଜାଦ ଓ ସୁଧୀରକୁ ମଞ୍ଚେଶ୍ୱର ଅଞ୍ଚଳରୁ ଗିରଫ କରି ଥାନକୁ ଆଣି ପଚରାଉଚରା କରିବାରୁ ସେମାନେ ସବୁ ସତ ମାନିଯାଇଥିଲେ। ପୁଲିସ ସେମାନଙ୍କ ନିକଟରୁ ଲୁଟ ହୋଇଥିବା ମୋବାଇଲ ଫୋନ, କିଛି ଟଙ୍କା ଓ ଲୁଟରେ ବ୍ୟବହୃତ ହୋଇଥିବା ବାଇକ ଜବତ କରିଛି।

ସମ୍ବନ୍ଧିତ ଖବର