ଲୁଟେରା ଗିରଫ, ମୋବାଇଲ୍‌ ଜବତ

ଭୁବନେଶ୍ବର: ଜଣେ ଛାତ୍ରୀଙ୍କଠାରୁ ଲୁଟ୍‌ ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ଲୁଟେରାକୁ ଗିରଫ କରିବା ସହ ମୋବାଇଲ୍‌ ଜବତ କରିଛି। ସେ ହେଲା ବେଗୁନିଆ ଛତ୍ରପଡ଼ା ଅଞ୍ଚଳର ଆଲୋକ ରଞ୍ଜିତ(୨୪)। ଏଠାରେ ୟୁନିଟ୍‌-୯ ମା’ ମଙ୍ଗଳା ବସ୍ତି‌ରେ ରୁହେ। ପୁଲିସ ସୂଚନା ମୁତାବକ, ସୋମବାର ଅପରାହ୍ଣ ପ୍ରାୟ ୩ଟାରେ ସସ୍ମିତା ଦାସ ନାମକ ଜଣେ ଛାତ୍ରୀ ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରୁ ସତ୍ୟନଗର ହଷ୍ଟେଲ୍‌କୁ ଫେରୁଥିଲେ। ସେ ପ୍ରଦର୍ଶନୀ ପଡ଼ିଆ ସମ୍ମୁଖ ରାସ୍ତାରେ ଯାଉଥିବା ବେଳେ ଆଲୋକ ଓ ତାର ଜଣେ ସହଯୋଗୀ ପଛପଟୁ ଏକ ବାଇକ୍‌ରେ ଦ୍ରୁତ ଗତିରେ ଆସି ସସ୍ମିତାଙ୍କ ମୋବାଇଲ୍‌ ଝାମ୍ପି ନେଇଥିଲେ। ଏନେଇ ସସ୍ମିତା ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଆଲୋକକୁ ଗିରଫ କରିବା ସହ ମୋବାଇଲ୍ ଜବତ କରିଛି। ଥାନାକୁ ଆଣି ପଚରାଉଚରା ପରେ ତାକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର