ଖଣ୍ଡଗିରି : ବିବାହ ମଣ୍ଡପ ଉପହାର ଲୁଟେରା ନନ୍ଦି ଗିରଫ, ୪ ଶହ ଉପହାର ଲଫ‌ାପା ସମେତ ୩.୯୮ ଲକ୍ଷ ଟଙ୍କା ଜବତ

ଖଣ୍ଡଗିରି : ରାଜଧାନୀର ବିଭିନ୍ନ ବିବାହ ମଣ୍ଡପରୁ ଉପହାର ବ୍ୟାଗ୍‌ ଲୁଟି ନେଉଥିବା ଜଣେ ଧୂର୍ତ୍ତ ଲୁଟେରାକୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲା ଖୋର୍ଧା କେରଙ୍ଗ ଦାରୁଲ୍‌ ଫଜଲ ସାହିର ସେକ୍ ଅବଦୁଲ୍‌ ଲତିଫ୍ ଓରଫ୍ ନନ୍ଦି(୩୫)। ଖଣ୍ଡଗିରିରୁ ୩ଟି କଲ୍ୟାଣ ମଣ୍ଡପରୁ ଲୁଟ୍‌ କରିଥିବା ଧୂର୍ତ୍ତ ନନ୍ଦିକୁ ଦୀର୍ଘ ୧୦ ମାସ କାଳ ପିଛା କରି କରି ଶେଷରେ ପୁଲିସ ସଫଳ ହୋଇଛି। ତା’ଠାରୁ ଜବତ ହୋଇଥିବା ଦୁଇ ବ୍ୟାଗ୍‌ରୁ ୪ ଶହ ଏନ୍‌ଭଲ୍‌ପ ଓ ସେଥିରୁ ୩ ଲକ୍ଷ ୯୮ ହଜାର ଟଙ୍କା ଓ କିଛି ସୁନା ଅଳଙ୍କାର ମିଳିଛି। ଚୋରି ଟଙ୍କାରେ ନନ୍ଦି କିଣିଥିବା ଏକ ରୟାଲ୍‌ ଏନ୍‌ଫିଲ୍‌ଡ ବୁଲେଟ୍ ଓ ତା’ ପୁରୁଣା ୟାମାହା ବାଇକ୍‌ ଜବତ କରାଯାଇଛି। ବୁଧବାର ତାକୁ କୋର୍ଟ ଚାଲାଣ କରାଯାଇଛି ଓ ଜାମିନ୍ ନାମଞ୍ଜୁର ହେବାରୁ ତାକୁ ଝାରପଡ଼ା ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ପୁଲିସ ସୂଚନାନୁସାରେ ନନ୍ଦି ୪ଟି କଲ୍ୟାଣ ମଣ୍ଡପରୁ ଉପହାର ଚୋରି କରିଛି। ପ୍ରାଥମିକ ତଦନ୍ତରୁ ସେ କୋଳଥିଆ, ଜାଗମରା ଓ ଖାରବେଳନଗରସ୍ଥିତ କଲ୍ୟାଣ ମଣ୍ଡପରୁ ଉପହାର ଭର୍ତ୍ତି ବ୍ୟାଗ୍‌ ଉଠାଇଥିବା ପୁଲିସ ସୂଚନା ଦେଇଛି। ୨୦୧୯ ମେ ୨୮ ତାରିଖରେ ସତ୍ୟସାଇ ଏନ୍‌କ୍ଲେଭ୍ ବାସିନ୍ଦା ମୋଚିରାମ ବଳିୟାରସିଂହଙ୍କ ପୁଅ ବାହାଘରର ରିସେପ୍‌ସନ କୋଳଥିଆସ୍ଥିତ କ୍ଲାସିକାଲ୍ କଣ୍ଟିନେଣ୍ଟାଲ କଲ୍ୟାଣ ମଣ୍ଡପରେ ହେଉଥିଲା। ସେଠାରୁ ମଉକା ଦେଖି ଧୂର୍ତ୍ତ ନନ୍ଦି ଉପହାର ଭର୍ତ୍ତି ବ୍ୟାଗ୍‌ ଉଠାଇଥିଲା। ଏହା ପରେ ସେହି ବର୍ଷ ଡିସେମ୍ବର ମାସରେ ଜାଗମରା ସିଦ୍ଧେଶ୍ବର କ୍ଲବ ଓ କୋଳଥିଆ ଶ୍ରୀ ସାଇ ଗାର୍ଡେନ୍‌ କଲ୍ୟାଣମଣ୍ଡପରୁ ପୁଣି ଅନୁରୂପ ଚୋରି ହେଲା ଓ ସବୁ ସିସିଟିଭି ଫୁଟେଜ୍‌ରେ ନନ୍ଦିର ହାତ ସଫେଇ କଏଦ୍ ହୋଇଥିଲା।

କେମିତି ଧରା ପଡ଼ିଲା
ନନ୍ଦି ୟାମାହା ବାଇକ୍‌ ଚଢ଼ୁଥିବାରୁ ପୁଲିସ ଖଣ୍ଡଗିରି ଅଞ୍ଚଳର ବିଭିନ୍ନ ୟାମାହା ଗ୍ୟାରେଜ୍‌ ସହ ଯୋଗାଯୋଗ କରିଥିଲା। ସିସିଟିଭି ଫୁଟେଜ୍‌ରୁ ମିଳିଥିବା ନନ୍ଦିର ଫଟୋ ଗ୍ୟାରେଜ୍‌ମାନଙ୍କରେ ଦିଆଯାଇଥିଲା। ଗତକାଲି ସନ୍ଧ୍ୟାରେ ଖଣ୍ଡଗିରିସ୍ଥିତ ଏକ ଗ୍ୟାରେଜ୍‌କୁ ନନ୍ଦି ତା ବାଇକ୍‌ କୌଣସି ଏକ ନେଇ ମରାମତି କରାଇବାକୁ ଯାଇଥିଲା। ମିସ୍ତ୍ରି ଜଣଙ୍କ ନନ୍ଦିକୁ ଦେଖି ଚିହ୍ନି ପାରିଥିଲେ ଓ ତା’ ଅଜ୍ଞାତରେ ଖଣ୍ଡଗିରି ଥାନାକୁ ଫୋନ୍‌ କରି ଜଣାଇଥିଲେ। ଖବର ପାଇ ପୁଲିସ ସେଠାରେ ଚଢ଼ଉ କରି ତାକୁ ଥାନାକୁ ଉଠାଇ ‌ନେଇଥିଲା ଓ ପଚରାଉଚରା ବେଳେ ନନ୍ଦି ସବୁ ସତ କହିପକାଇଥିଲା। ତୁରନ୍ତ ପୁଲିସ ଟିମ୍‌ ନନ୍ଦିକୁ ନେଇ କେରଙ୍ଗରେ ତା’ ଘରେ ଚଢ଼ଉ କରି ଦୁଇଟି ଉପହାର ଭର୍ତ୍ତି ବ୍ୟାଗ୍‌ ଜବତ କରିଥିଲା। ପୁଲିସ ସୂଚନାନୁସାରେ ସେ ୪ଟି କଲ୍ୟାଣ ମଣ୍ଡପରୁ ଚୋରି କରିଥିଲା ଓ ୨ଟିର ଉପହାର ଟଙ୍କାରୁ ଏକ ବୁଲେଟ୍‌ କିଣିବା ସହ ବିଭିନ୍ନ ବାଟରେ ଖର୍ଚ୍ଚ କରି ସାରିଥିଲା। ଅବଶିଷ୍ଟ ୨ଟି ବ୍ୟାଗ୍‌କୁ ସେ ସେମିତି ଘରେ ସାଇତି ରଖିଥିଲା। ଜାନୁଆରି ମାସରେ ତାକୁ ଡେଙ୍ଗୁ ହୋଇଥିବାରୁ ସେ ଉକ୍ତ ଟଙ୍କା ସବୁ ଖର୍ଚ୍ଚ କରିବାକୁ ସମୟ ପାଇନଥିଲା।

କେମିତି ଲୁଟୁଥିଲା
ନନ୍ଦି ବେଶ୍ ଭଲ ପୋଷାକ ପିନ୍ଧି ବାହା ମଣ୍ଡପରେ ପହଞ୍ଚିଯାଏ ଓ ସେଠି ନିଜକୁ ବିଭିନ୍ନ ଛୋଟ‌ମୋଟ ବୋଲହାକ କାମରେ ନି‌ୟୋଜିତ କରେ। ଫଳରେ ବର-କନ୍ୟା କୌଣସି ପକ୍ଷ ତାକୁ ଅପରିଚିତ ବୋଲି ଭାବି ପାରନ୍ତି ନାହିଁ। ବିଶେଷକରି ବ୍ୟସ୍ତବହୁଳ ଭିଡ଼ ଭିତରେ ବରିଷ୍ଠ ନାଗରିକମାନଙ୍କ ଯତ୍ନ ନେଇ ସେ କିଛି ଲୋକଙ୍କ ଆପଣାର ହୋଇଯାଏ ଓ ତାକୁ ସନ୍ଦେହ କରିବା ପାଇଁ ସେ କାହାକୁ ସୁଯୋଗ ଦେଇନଥାଏ। ମାତ୍ର ତା’ ନଜର ଥାଏ ଉପହାର ଭର୍ତ୍ତି ବ୍ୟାଗ୍‌ ଉପ‌ରେ। ମଉକ‌ା ଦେଖି ସେ ବ୍ୟାଗ୍‌ଟିକୁ ପ୍ରଥମେ କପଡ଼ା ଘେରା ଚେୟାର୍ ଭିତରେ ଗାଏବ୍‌ କରିଦିଏ ଓ ପରେ ବ୍ୟାଗ୍‌ ସହ ଚମ୍ପଟ ମାରେ।

ଘୋଡ଼ା ଚଢ଼ା ସଉକ
ଘୋଡ଼ା ଚଢ଼ାରେ ସଉକ୍ ରଖିଥିବା ନନ୍ଦିର ଚୋରି କାମ ରାଉରକେଲାରୁ ଆରମ୍ଭ ହୋଇଥିଲା। ସେଠାରେ ବହୁ କେସ୍ କଲା ପରେ ତା’ ବାପା ତାକୁ ଗାଁକୁ ପଠାଇ ଦେଇଥିଲେ। ଗାଁରେ କିଛି ଦିନ ଘୋଡ଼ା ଚଢ଼ି ବୁଲିଲା। ମାତ୍ର ବାପାଙ୍କ ଦେହାନ୍ତ ପରେ ତା’ ଘୋଡ଼ା ଚଢ଼ା ବନ୍ଦ ହୋଇ ଯାଇଥିଲା। ଏହା ପରେ ସେ ରାଜଧାନୀ ମୁହାଁ ହୋଇ ଏହି କାଣ୍ଡ କରିବାରେ ଲାଗିପଡ଼ିଥିଲା।

ସମ୍ବନ୍ଧିତ ଖବର