ଲୁଟେରା ଗିରଫ, ଲୁଟ୍ ସାମଗ୍ରୀ ଉଦ୍ଧାର

ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଅଞ୍ଚଳରେ ଲୁଟ୍‌ପାଟ୍‌ କରି ପୁଲିସକୁ ନାକେଦମ କରିଥିବା ଏକ ଲୁଟେରାକୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ତାଠାରୁ କମ୍ପ୍ୟୁଟର୍, ଲାପ୍‌ଟପ୍‌, ୨ଟି ସିପିୟୁ, ହାତ ଘଣ୍ଟା, ୨ହଜାର ଟଙ୍କା ଓ ୪ଟି ଲଗେଜ୍‌ ଜବତ କରିଛି। ଗିରଫ ଲୁଟେରାର ନାଁ ଦିଲ୍ଲୀପ୍ କୁମାର ଦ୍ବିବେଦୀ(୨୦)। ଘର ରାଉରକେଲା ସେକ୍ଟର୍୯ରେ ହୋଇଥିବା ବେଳେ ସେ ଚନ୍ଦ୍ରଶେଖରପୁର ବାଇଧର କଲୋନିରେ ରହୁଥିଲା। ଗତ ଦୁଇ ମାସ ପୂର୍ବେ ସେ ନୀଳାଦ୍ରିବିହାର ଅଞ୍ଚଳରୁ ଲୁଟ୍ କରି ଫେରାର୍ ହୋଇଯାଇଥିଲା। ତେବେ ସିସିଟିଭି ଫୁଟେଜ୍‌ର ଫଟୋକୁ ଆଧାର କରି ପୁଲିସ ତାକୁ ଚିହ୍ନଟ କରିଥିଲା।

ଚେନ୍‌ ଲୁଟ୍ ଉଦ୍ୟମ୍‌, ମହିଳା ଆହତ
ପୁରୁଣା ଭୁବନେଶ୍ୱର : ଶ୍ରୀଲିଙ୍ଗରାଜ ଥାନା ଅଧୀନ ନାଗେଶ୍ବରଟାଙ୍ଗୀ ମେଟ୍ରୋମେନ୍‌ସନ ଗଳିରେ ଜଣେ ମହିଳାଙ୍କୁ ଧକ୍କା ମାରି ତାଙ୍କ ସୁନା ଚେନ୍‌ ଲୁଟ୍ ଉଦ୍ୟମ ହୋଇଛି। ଲୁଟେରାମାନେ ଚେନ୍‌ ନେଇ ପାରି ନଥିବା ବେଳେ ମହିଳାଙ୍କ ବେକରେ ଆଘାତ ଲାଗିଛି। ଏନେଇ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ ଦେବୀ ଅର୍ଚନା ସ୍ବାଇଁ ନାମକ ମହିଳା ମନ୍ଦିରକୁ ବାହରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସିଥିଲେ। ପଛରେ ବସିଥିବା ଯୁବକ ଜଣକ ତାଙ୍କ ବେକରୁ ସୁନା ଚେନ୍‌ ଝାମ୍ପିବା ସହ ଧକ୍କା ଦେଇଥିଲା। ଲୁଟେରା ଜଣକ ସୁନା ଚେନ୍‌ ନେଇ ପାରି ନଥିଲେ ମଧ୍ୟ ଚେନ୍‌ ଭିଡ଼ି ହେବାରୁ ଅର୍ଚନାଙ୍କ ବେକରେ ଆଘାତ ଲାଗିଥିଲା। ଘଟଣା ସମ୍ପର୍କରେ ଅର୍ଚନାଙ୍କ ସ୍ବାମୀ ଦେବାଶିଷ ଭୁୟାଁ ଥାନାରେ ଏତଲା ଦେଇଛନ୍ତି। ନାଗେଶ୍ବରଟାଙ୍ଗୀ ଅଞ୍ଚଳରେ ପୁଲିସ ପାଟ୍ରୋଲିଂ କରିବାକୁ ସେ ଦାବି କରିଛନ୍ତି।

ବ୍ୟାଙ୍କ୍‌ ସାମ୍ନାରୁ ଗାଡ଼ି ଚୋରି
ଭୁବନେଶ୍ବର : ସହିଦ୍‌ ନଗର ଅଞ୍ଚଳରେ ଥିବା ଆନ୍ଧ୍ର ବ୍ୟାଙ୍କ୍‌ ସମ୍ମୁଖରୁ ଏକ ବାଇକ୍‌ ଚୋରି ହୋଇଛି। ଗାଡ଼ି(ଓଡି୩୩ଏଫ୍‌୫୭୬୩)ଟି ତେଲୁଗୁ ବସ୍ତିର ନରେନ୍ଦ୍ର ବେହେରାଙ୍କର ବୋଲି ଜଣାପଡ଼ିଛି। ନରେନ୍ଦ୍ର ଗାଡ଼ି ବାହାରେ ରଖି ବ୍ୟାଙ୍କ୍‌ ଭିତରକୁ ଯାଇ ଫେରିବା ପରେ ଗାଡ଼ି ନଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲେ ମଧ୍ୟ ରାତି ସୁଦ୍ଧା ଗାଡ଼ି କି ଲୁଟେରାର ପତ୍ତା ମିଳି ନାହିଁ। ତେବେ ଗୋଟିଏ ସପ୍ତାହ ମଧ୍ୟରେ ଏହି ବ୍ୟାଙ୍କ୍‌ ସାମ୍ନାରୁ ଗୋଟିଏ ବୁଲେଟ୍‌ ସହ ତିନୋଟି ଗାଡ଼ି ଚୋରି ହୋଇଥିବା ଜଣାପଡ଼ିଛି। ସ୍ପଷ୍ଟ ଦିବାଲୋକର ଗାଡ଼ି ଚୋରି ହେଉଥି‌ଲେ ମଧ୍ୟ ପୁଲିସ୍‌ ପତ୍ତା ପାଉନାହିଁ ବୋଲି ଅଭିଯୋଗ ହେଉଛି।

ବେଆଇନ ଖଣିରେ ଚଢ଼ଉ, ୫ ଗାଡ଼ି ଜବତ
ଖୋର୍ଧା : ଖୋର୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ପୁଣି ବେଆଇନ ଖଣି କାର୍ଯ୍ୟ ଓ ପଥର ଚାଲାଣ ଉପରେ ଚଢ଼ଉ କରାଯାଇଛି। ଖୋର୍ଧାର ବାଜପୁର ଓ ତାପଙ୍ଗ ଅଞ୍ଚଳରେ ଆଜି ଚଢ଼ଉ କରାଯାଇ ବେଆଇନ ଖଣି କାର୍ଯ୍ୟ ଓ ପଥର ଚାଲାଣ କରୁଥିବା ଅଭିଯୋଗରେ ୫ଟି ଗାଡ଼ି ଜବତ କରାଯାଇଛି। ଜବତ ଗାଡ଼ି ଭିତରେ ଗୋଟିଏ ହାଇୱା, ୨ଟି ଟିପର, ଗୋଟିଏ ୪୦୭ ଗାଡ଼ି ଏବଂ ଗୋଟିଏ ଟ୍ରାକ୍ଟର ରହିଛି। ଖୋର୍ଧା ତହସିଲଦାର ଶୁଭେନ୍ଦ୍ର ସାମଲଙ୍କ ନେତୃତ୍ବରେ ଆର୍ଆଇ ଅକ୍ଷୟ ବେହେରା, କବିରାଜ ସେଠୀ ଏହି ଚଢ଼ଉ କରିଥିବା ବେଳେ ଜଗନ୍ନାଥ ମନ୍ଦିର ପ୍ରଶାସନର ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର