ଦାଦାବଟି ପାଇଁ ମା’ପୁଅଙ୍କୁ କଟୁରିରେ ଆକ୍ରମଣ

ଭୁବନେଶ୍ବର: ଦାଦାବଟି ନ ଦେବାରୁ ମା’ପୁଅଙ୍କୁ କଟୁରିରେ ଆକ୍ରମଣ ହୋଇଛି। ଏଭଳି ଏକ ଅଭିଯୋଗରେ କ୍ୟାପିଟାଲ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ତା’ଠାରୁ ଗୋଟିଏ କଟୁରି ଜବତ କରିଛି। ସେ ହେଲା ଫାଳିକିଆ ବସ୍ତିର କେ. ଶଙ୍କରୀ(୩୨)। ଗତ କିଛିଦିନ ତଳେ ଶଙ୍କରୀ ସ୍ଥାନୀୟ ଅଞ୍ଚଳରେ ଥିବା ସିନୁ ରାଉତଙ୍କ ଦୋକାନକୁ ଯାଇ ଦାଦାବଟି ମାଗିଥିଲା। ହେଲେ ସିନୁ ତାଙ୍କୁ ମନା କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରବିବାର ରାତି ପ୍ରାୟ ୧୦ଟାରେ ସିନୁ ଘରେ ନଥିବା ସମୟରେ ଶଙ୍କରୀ ତାଙ୍କ ଘରକୁ ଯାଇ ଗାଳିଗୁଲଜ କରିଥିଲା। ସିନୁଙ୍କ ପତ୍ନୀ ଲକ୍ଷ୍ମୀ  ଓ ପୁଅ କାଶୀ ତାକୁ ବିରୋଧ କରିଥିଲେ। ଏଥିରେ ଶଙ୍କରୀ ରାଗିଯାଇ ଉଭୟଙ୍କୁ କଟୁରିରେ ଆକ୍ରମଣ କରିଥିଲା। ଫଳରେ ଲକ୍ଷ୍ମୀଙ୍କ ଡାହାଣ ହାତ ଓ କାନ୍ଧରେ ଏବଂ କାଶୀଙ୍କ ଛାତି ଓ ହାତରେ କ୍ଷତ ସୃଷ୍ଟି ହୋଇଥିଲା। ଏନେଇ ଲକ୍ଷ୍ମୀ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ଶଙ୍କରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର