ଖଣ୍ଡଗିରି : ସ୍ଥାନୀୟ ଅଞ୍ଚଳରେ ଗତ କିଛି ଦିନ ହେବ ମାତିଥିବା ଏକ ୩ ଜଣିଆ ଛିନ୍ତାଇ ଗ୍ୟାଙ୍ଗ୍କୁ ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ସେମାନଙ୍କଠାରୁ ଚୋରା ଗହଣା କିଣୁଥିବା ଅଭିଯୋଗରେ ୨ ଜଣ ବେପାରୀଙ୍କୁ ମଧ୍ୟ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ତମାଣ୍ଡୋ ଥାନା ଅନ୍ତର୍ଗତ ସିଜୁଆ ଗାଁର ଅଶ୍ୱିନୀ ପ୍ରଧାନ ଓରଫ୍ ଟିକି(୧୯), ଫୁଲବାଣୀ ଜି ଉଦୟଗିରି ଥାନା ଗଉଡ଼ସାହିର ସତ୍ୟସାଗର ପ୍ରଧାନ ଓରଫ୍ ବାବୁ(୨୨) ଓ ଅନ୍ୟ ଜଣେ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅଞ୍ଚଳର ନାବାଳକ। ଏମାନେ ପଳାସପଲ୍ଲୀ ପୁନାମା ଗେଟ୍ ନିକଟସ୍ଥ ଏକ ବସ୍ତିରେ ରହୁଥିଲେ। ଚୋରା ଗହଣା କିଣିଥିବା ବେପାରୀଦ୍ୱୟ ହେଲେ ଏୟାର୍ଫିଲ୍ଡ ଥାନା ଭୀମପୁର ଲେନ୍-୧୩ରେ ରହୁଥିବା କାଳନ୍ଦୀ ବେହେରା ଓ ପୁରୁଣା ଭୁବନେଶ୍ୱରର ବିଶ୍ୱନାଥ ସେନାପତି। ପୁଲିସ ସେମାନଙ୍କ ନିକଟରୁ ୪ଟି ସୁନାଚେନ୍, ହଳେ ହୀରା କାନଫୁଲ, ୧୦ଟି ମୋବାଇଲ୍ ଫୋନ୍, ଗୋଟିଏ ଲାପଟପ୍ ଓ କଳା ପଲସର୍ ଜବତ କରିଛି। ଏମାନଙ୍କ ନାମରେ ପ୍ରାୟ ୮ଟି ମାମଲା ରହିଛି। ନାବାଳକକୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡକୁ ପଠ ଯାଇଥିବାବେଳେ ଅନ୍ୟମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
ପୁଲିସ ସୂଚନାନୁସାରରେ ଗତ କିଛି ଦିନ ହେବ ଖଣ୍ଡଗିରି ଅଞ୍ଚଳରେ ଏକ ଗ୍ୟାଙ୍ଗ୍ ଛିନ୍ତାଇ କରି ଆତଙ୍କ ଖେଳାଇ ଦେଇଥିଲା। ପଲସର ବାଇକ୍ରେ ଆସି ଏହି ଗ୍ୟାଙ୍ଗ୍ ସୁନାଚେନ୍, ମୋବାଇଲ୍ ଆଦି ଝାମ୍ପି ନେଇ ପଳାଉଥିଲେ। ଗତ ଫେବ୍ରୁଆରି ୧୦ ତାରିଖରେ ପାତ୍ରପଡ଼ା ଉଦୟଗିରି ବିହାରରେ ରହୁଥିବା ପ୍ରମିଳା ସିଆଳ ନାମକ ଜଣେ ମହିଳା ସହିଦନଗରରେ ଥିବା ଏକ ସୋରୁମ୍ରୁ ହୀରା କାନଫୁଲ କିଣି ଫେରୁଥିଲେ। ସେ ଓ ତାଙ୍କ ସ୍ୱାମୀ ଭାସ୍କର ଏକ ବାଇକ୍ ଯୋଗେ ପାତ୍ରପଡ଼ା ଫେରୁଥିଲେ। ସନ୍ଧ୍ୟା ପ୍ରାୟ ୭ଟାବେଳକୁ ସେମାନେ ବରମୁଣ୍ଡା କାଳୀମନ୍ଦିର ନିକଟରେ ପହଞ୍ଚିଥିବାବେଳେ ହଠାତ୍ ୨ଜଣ ଏକ କଳା ପଲ୍ସରରେ ପହଞ୍ଚି ପ୍ରମିଳାଙ୍କ ହାତରୁ ଭ୍ୟାନିଟ୍ ବ୍ୟାଗ୍ଟି ଟାଣି ନେବାକୁ ଉଦ୍ୟମ କରିଥିଲେ। ମାତ୍ର ସେ ବ୍ୟାଗ୍ ନଛାଡ଼ିବାରୁ ପଛରେ ବସିଥିବା ଦୁର୍ବୃତ୍ତ ଜଣଙ୍କ ପ୍ରମିଳାଙ୍କ ମୁଣ୍ଡ ଓ ହାତକୁ ଏକ ଲୁହାରଡ୍ରେ ପିଟି ପକାଇଥିଲା। ଫଳରେ ପ୍ରମିଳା ଭ୍ୟାନିଟି ବ୍ୟାଗ୍ଟି ଛାଡ଼ି ଦେଇଥିଲେ। ସେହି ବ୍ୟାଗ୍ରେ ଗହଣା ସହ ମୋବାଇଲ୍ ଫୋନ୍ ଓ ୨ ହଜାର ଟଙ୍କା ଥିଲା। ସେହିଭଳି ଶିରିପୁର ଛକରେ ଏହି ଦୁର୍ବୃତ୍ତମାନେ ମାର୍ଚ୍ଚ ୧୮ ତାରିଖରେ ଏକ ଦମ୍ପତିଙ୍କୁ ଅଟକାଇ ସୁନାଚେନ୍ ଲୁଟି ନେଇଥିଲେ। ମାର୍ଚ୍ଚ ୧୩ ତାରିଖ ରାତିରେ ଏମାନେ କୋଳଥିଆ ଛକରେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଓ ତାଙ୍କ ସ୍ତ୍ରୀଙ୍କୁ ଅଟକାଇ ଲୁଟ୍ କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ସେନା କର୍ମଚାରୀ ଜଣଙ୍କ ସାହସର ସହ ଦୁର୍ବୃତ୍ତମାନଙ୍କୁ କାବୁ କରିବାକୁ ଚେଷ୍ଟା କରିବାରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ। ୨୦୧୭ ଅଗଷ୍ଟରୁ ଏହି ଗ୍ୟାଙ୍ଗ୍ ଖଣ୍ଡଗିରି ଅଞ୍ଚଳରେ ମାତିଥିବାବେଳେ ସେହି ବର୍ଷ ହିଁ ୩ଟି ଛିନ୍ତାଇ କରି ଆତଙ୍କ ଖେଳାଇ ଦେଇଥିଲେ। ୨୦୧୭ ସେପ୍ଟେମ୍ବରରେ ଏହି ଗ୍ୟାଙ୍ଗ୍ ୧୬ ନମ୍ବର ଜାତୀୟ ରାଜପଥରେ ବରମୁଣ୍ଡା ଓଭରବ୍ରିଜ୍ ଉପରୁ ଜଣେ ଇଂଜିନିୟରିଂ ଛାତ୍ରଙ୍କଠାରୁ ଲାପଟପ୍ ଛଡ଼ାଇ ନେଇଥିଲେ।
ଡ୍ୟାନ୍ସ ବାର୍ରେ ପଇସା ଉଡ଼ାଉଥିଲେ
ଖୁବ୍ କମ୍ ବୟସରୁ ଏହି ଗ୍ୟାଙ୍ଗ୍ ଲୁଟ୍ କରିବା ଭଳି ଅପରାଧ ଦୁନିଅାଁରେ ପାଦ ଦେଇଛି। ସମସ୍ତେ ଅଷ୍ଟମ ନବମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିବା ପରେ ପାଠପଢ଼ାରେ ଡୋରି ବାନ୍ଧିଛନ୍ତି। ଲୁଟ୍ରୁ ମିଳୁଥିବା ଅର୍ଥକୁ ନେଇ ସେମାନେ ମସ୍ତି କରି ଉଡ଼ାଉଥିଲେ। ମୁଖ୍ୟତଃ ଡ୍ୟାନ୍ସ ବାର୍ରେ ମସ୍ତି କରିବା ସେମାନଙ୍କ ମୂଳ ଲକ୍ଷ୍ୟ ଥିଲା। ଚୋରି କରୁଥିବା ସୁନାଗହଣାକୁ ସେମାନେ ଖୁବ୍ କମ୍ ଦାମରେ ବିକି ଦେଉଥିଲେ। ହୀରା କାନଫୁଲର ଦାମ୍ ପ୍ରାୟ ୭୫ ହଜାର ଟଙ୍କା ହୋଇଥିଲେ ବି ଦୁର୍ବୃତ୍ତମାନେ ମାତ୍ର ୩ ହଜାର ଟଙ୍କାରେ ବିକି ଦେଇଥିଲେ। ସୁନାଚେନ୍ଗୁଡ଼ାକୁ ସେମାନେ ମାତ୍ର ୫/୬ ହଜାର ଟଙ୍କାରେ ବିକି ଦେଉଥିଲେ। ଗିରଫ ଦୁଇ ଗହଣା ବେପାରୀ ସେମାନଙ୍କଠାରୁ ଚୋରା ଗହଣା କିଣି ବେଶ୍ ମାଲେମାଲ୍ ହେଉଥିଲେ।
କେମିତି ଧରାପଡ଼ିଲେ
ଏହି ଗ୍ୟାଙ୍ଗ୍ର ମାଷ୍ଟର ମାଇଣ୍ଡ ହେଉଛି ଟିକି। ନିଜ ଘର ସିଜୁଆ ହୋଇଥିବାରୁ ସେ ଖଣ୍ଡଗିରି ଅଞ୍ଚଳ ସହ ଭଲଭାବେ ପରିଚିତ। ତେଣୁ ପୁନାମା ଗେଟ୍ ବସ୍ତିରେ ରହୁଥିଲେ ବି ତା ଗ୍ୟାଙ୍ଗ୍ କେବଳ ଖଣ୍ଡଗିରି ଅଞ୍ଚଳକୁ ଟାର୍ଗେଟ୍ କରୁଥିଲେ। ଏକା ଢାଞ୍ଚାରେ ସେମାନେ ଛିନ୍ତାଇ କରୁଥିଲେ। ପ୍ରଥମେ ବେକରୁ ବା ହାତରୁ ଜିନିଷ ଟାଣି ନେଉଥିଲେ ଓ କେହି ପ୍ରତିରୋଧ କଲେ ଲୁହା ରଡ୍ରେ ପିଟି ପକାଉଥିଲେ। ତେଣୁ ଏହି ଗ୍ୟାଙ୍ଗ୍ରେ କେହି ସ୍ଥାନୀୟ ଅଞ୍ଚଳର ଦୁର୍ବୃତ୍ତ ଥିବ ବୋଲି ଧରିନେଇ ଜାଲ ବିଛାଇଥିଲା। ରବିବାର ସକାଳେ ଟିକି ଓ ସାଗର ଏକ ସୁନାଚେନ୍ ବିକିବା ପାଇଁ ବରମୁଣ୍ଡା ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିଲେ। ଖବର ପାଇ ପୁଲିସ ଉକ୍ତ ବ୍ୟକ୍ତିଙ୍କ ଘର ନିକଟରେ ସାଦା ପୋଷାକରେ ଛକି ରହିଥିଲା। ଫଳରେ ଟିକି ଓ ସାଗର ପୁଲିସ କବ୍ଜାରେ ପଡ଼ିଯାଇଥିଲେ। ଏହା ପରେ ପୁଲିସ ଅନ୍ୟମାନଙ୍କୁ ଧରିବାରେ କୌଣସି ସମସ୍ୟା ହୋଇ ନଥିଲା।