ମୂଳା ପଡ଼ିଆରେ ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ

ଭୁବନେଶ୍ୱର : ରାଜଧାନୀର ସୀମିତ ଖେଳ ପଡ଼ିଆଗୁଡ଼ିକ ଏବେ ଆସାମାଜିକ ବ୍ୟକ୍ତିଙ୍କ ଆଡାସ୍ଥଳୀ ପାଲଟିଛି। ପୁରୁଣା ଭୁବନେଶ୍ୱରର ୮୧ବର୍ଷ ପୁରୁଣା ଟାଉନ୍‌ କ୍ଲବ୍‌ର ମୂଳା ପଡ଼ିଆ ଏଥିରୁ ବାଦ୍‌ ପଡ଼ିନାହିଁ। ସୋମବାର ରାତିରେ କେତେକ ଦୁର୍ବୃତ୍ତ ମୂଳାପଡ଼ିଆର ଲିଙ୍ଗରାଜ ନଗର ପାର୍ଶ୍ୱରେ ଥିବା ୩ଟି ଓ୍ଵିକେଟ୍‌ର ନେଟ୍‌କୁ କାଟି ଦେଇ ସଂଘର୍ଷରତ ଏହି ଅନୁଷ୍ଠାନକୁ ବଡ଼ ଝଟ୍‌କା ଦେଇଛନ୍ତି। ଏ ସମ୍ପର୍କରେ ଟାଉନ୍‌ କ୍ଲବ୍‌ର କ୍ରୀଡ଼ା ସମ୍ପାଦକ ମନୋଜ କୁମାର ମହାପାତ୍ର ଲିଙ୍ଗରାଜ ଥାନାରେ ଏତାଲା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ନେଟ୍‌ ପାର୍ଶ୍ୱରେ ମଦ ବୋତଲ, ମାଂସ ଟୁକୁଡ଼ା, ସିଗାରେଟ୍‌ ଓ ଗୁଟ୍‌କା ଖୋଳ ଆଦି ପଡ଼ିଛି। ଆଲୋକ ବ୍ୟବସ୍ଥା ନ ଥିବାରୁ ପ୍ରତ୍ୟହ ରାତିରେ ନିଶାଖୋର ଅସାମାଜିକ ବ୍ୟକ୍ତିମାନେ ପଡ଼ିଆ ଭିତରକୁ ଅବାଧରେ ପ୍ରବେଶ କରିବା ସହ ନାନା କାଣ୍ଡ ଭିଆଉଛନ୍ତି। ପଡ଼ିଆ ପାର୍ଶ୍ୱରୁ ମଧ୍ୟ ଅତୀତରେ ସାଇକେଲ୍‌, ମୋଟରସାଇକେଲ୍‌ ଚୋରି, ଗାଡ଼ି ଭଙ୍ଗାରୁଜା ଆଦି ଘଟଣା ନଜରକୁ ଆସିଥିଲା। ଏକ ଡକାୟତ ଦଳ ମଧ୍ୟ ଏହି ପଡ଼ିଆରୁ ଗିରଫ ହୋଇଥିଲେ। ରାଜଧାନୀର ଏହି ପଡ଼ିଆରେ ପ୍ରତ୍ୟହ ୧୫ଜଣ ବାଳିକାଙ୍କ ସହିତ ପ୍ରାୟ ୧୦୦ କ୍ରିକେଟ୍‌ ଖେଳାଳି ସେମାନଙ୍କ ଖେଳ ଜୀବନ ଗଢ଼ିବାକୁ ଅଭ୍ୟାସ କରିଥାନ୍ତି। ଏହା ଛଡ଼ା ସକାଳେ ଓ ସଂଧ୍ୟାରେ ସାଧାରଣ ଲୋକମାନେ ମଧ୍ୟ ଚାଲିବା ଓ କସରତ କରିବାକୁ ଆସିଥାନ୍ତି। କିନ୍ତୁ ସଂଜ ନଇଁଯିବା ପରେ ଏହି ପଡ଼ିଆ ଆସାମାଜିକ ବ୍ୟକ୍ତିଙ୍କ ସୁରକ୍ଷିତ ସ୍ଥାନ ପାଲଟିଯାଉଛି। ପଡ଼ିଆର ଆଲୋକୀକରଣ, ସୁରକ୍ଷା ବ୍ୟବସ୍ଥା ଏବଂ ତାଲା ପକାଇବା ବ୍ୟବସ୍ଥା କରିବାକୁ ଖେଳାଳି ଓ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର