୩ ଜଣଙ୍କଠାରୁ ୩୮ ହଜାର ଟଙ୍କା ଲୁଟିନେଲେ ନିଶାଦିଆ ଲୁଟେରା

ଖଣ୍ଡଗିରି: ପୁଣି ୩ ଜଣଙ୍କୁ ଲୁଟିଛନ୍ତି ରାଜଧାନୀର ନିଶାଦିଆ ଲୁଟେରା। ସେମାନଙ୍କଠାରୁ ୩୮ ହଜାର ଟଙ୍କା ଓ ମୋବାଇଲ୍‌ ଫୋନ୍‌ ଲୁଟିବା ପରେ ରାଜଧାନୀର ରାଜରାସ୍ତାରେ ଫିଙ୍ଗି ଦେଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ଯୁବକମାନେ ହେଲେ ମୟୂରଭଂଜ ଜିଲ୍ଲା ଝାରପୋଖରିଆ ଥାନା ପୁରୁଣାପାଣି ଅଞ୍ଚଳର ଶ୍ୟାମ ଟୁଡୁଙ୍କ ପୁଅ ସମୟ ଟୁଡୁ(୨୨), ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଅଞ୍ଚଳର ଆମ୍ବରୁସ୍‌ କେରକେଟା(୨୨) ଓ ଢ଼େଙ୍କାନାଳ ବାଙ୍କିଡ଼ିର ମୋହନ ନାୟକ(୨୦)। ସମୟଙ୍କଠାରୁ ୩୦ ହଜାର ଟଙ୍କା, ଆମ୍ବରୁସ୍‌ଙ୍କଠାରୁ ୫ ହଜାର ଟଙ୍କା ଓ ମୋହନଙ୍କଠାରୁ ୩ ହଜାର ଟଙ୍କା ଲୁଟ୍‌ ହୋଇଥିବା ଜଣାପଡ଼ିଛି।

ସୂଚନାନୁସାରେ ସମୟ ବେଙ୍ଗାଲୁର୍‌ରେ କାମ କରନ୍ତି ଓ ସେ ଗତକାଲି ପ୍ରଶାନ୍ତି ଏକ୍‌ସପ୍ରେସ୍‌ରେ ଆସି ଭୁବନେଶ୍ୱରରେ ଓହ୍ଲାଇଥିଲେ। ଷ୍ଟେସନ୍‌ରେ ହିଁ ଜଣେ ତାଙ୍କ ସହିତ ବନ୍ଧୁତା ସ୍ଥାପନ କରି ତାଙ୍କୁ ଚାରେ ନିଶା ଦେଇଥିଲା ଓ ପରେ ତାଙ୍କୁ ଶିଶୁଭବନ ଛକରେ ଫିଙ୍ଗି ପଳାଇଥିଲା। ଆଜି ସକାଳେ କ୍ୟାପିଟାଲ ଥାନା ପିସିଆର୍‌ ତାଙ୍କୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲା। ସେହିଭଳି ଆମ୍ବରୁସ୍‌ ପ୍ରଶାନ୍ତି ଏକ୍‌ସପ୍ରେସ୍‌ରେ ହାଇଦ୍ରାବାଦ୍‌ରୁ ଫେରିଥିଲେ। ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ହିଁ ଜଣେ ତାଙ୍କୁ ଅଟୋରେ ବସାଇ ବରମୁଣ୍ଡା ବସ୍‌ ଷ୍ଟାଣ୍ଡକୁ ଆଣିଥିଲା ଓ ବାଟରେ ନିଶାଯୁକ୍ତ ବିସ୍କୁଟ୍‌ ଦେଇ ଲୁଟିଥିଲା। ଆଜି ସକାଳେ ପିସିଆର୍‌ ତାଙ୍କୁ ବେହୋସ୍‌ ଅବସ୍ଥାରେ ବରମୁଣ୍ଡା ହାଉସିଂ ବୋର୍ଡ କଲୋନି ନିକଟରୁ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲା। ପୁନେରେ କାମ କରୁଥିବା ମୋହନ ଗତକାଲି କୋଣାର୍କ ଏକ୍‌ସପ୍ରେସ୍‌ରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ନିଶାଦିଆ ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ। ଆଜି ତାଙ୍କୁ ଭୁବନେଶ୍ୱର ଏମ୍‌ସ ରାସ୍ତାରୁ ପିସିଆର୍‌ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲା। କ୍ୟାପିଟାଲ ହସ୍ପିଟାଲରେ ଡାକ୍ତର ଓ ସ୍ୱେଚ୍ଛାସେବୀ ସଂଗଠନ ‘ସହାୟ’ ସହଯୋଗରେ ସେମାନଙ୍କ ଚିକିତ୍ସା କରାଯିବା ପରେ ଆଜି ସନ୍ଧ୍ୟାରେ ସେମାନଙ୍କୁ ସେମାନଙ୍କ ସମ୍ପର୍କୀୟମାନଙ୍କ ଜିମା ଦିଆଯାଇଛି।

ସମ୍ବନ୍ଧିତ ଖବର