ଧଉଳି: ବିଭିନ୍ନ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀଙ୍କୁ ଆକ୍ରମଣ କରି ସେମାନଙ୍କ ନିକଟରୁ ଟଙ୍କା ଲୁଟ୍ପାଟ କରୁଥିବା ଏକ ଦୁର୍ଦାନ୍ତ ଗ୍ୟାଙ୍ଗର ୩ ଜଣ ଡକାୟତଙ୍କୁ ଧଉଳି ଥାନା ପୁଲିସ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ବରଗଡ଼ ଥାନା ଅନ୍ତର୍ଗତ ବ୍ରହ୍ମେଶ୍ୱରପାଟଣାରେ ରହୁଥିବା ଜିତୁ ଭୋଇ (୨୪), ବାଲିପାଟଣା ଥାନା ଅନ୍ତର୍ଗତ ବିଶ୍ୱନାଥପୁର ଗ୍ରାମର ଦୀପୁନା ଓରଫ ପ୍ରଦୀପ୍ତ କାଣ୍ଡି (୨୫) ଓ ପିପିଲି ଥାନା ପୁବାଶାସନ ଗ୍ରାମର ତ୍ରିଲୋଚନ ବେହେରା (୨୪)। ସେମାନଙ୍କ ନିକଟରୁ ପୁଲିସ ନଗଦ ୨୪ ହଜାର ୪ ଶହ ଟଙ୍କା, କଟୁରି, ଖଣ୍ଡା ଓ ୨ଟି ବାଇକ୍କୁ ଜବତ କରିଛି। ଜାମିନ ନାମଂଜୁର ହେବାରୁ ସମସ୍ତଙ୍କୁ ଜେଲ୍ ପଠାଇ ଦିଆଯାଇଛି। ତେବେ ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ କୁହାଯାଉଥିବା ଯୁବକ ସହ ଅନ୍ୟ ଦୁଇଜଣ ସଦସ୍ୟ ଏବେ ବି ଫେରାର ଅଛନ୍ତି। ପୂର୍ବରୁ ଏହି ଡକାୟତ ଗ୍ୟାଙ୍ଗ୍ର ଆକ୍ରମଣର ଶିକାର ହୋଇଥିବା ଶ୍ରୀଲିଙ୍ଗରାଜ ଥାନା ଅଧୀନ ଉଜ୍ଜୀବନ ସ୍ମଲ ଫାଇନାନ୍ସ ସଂସ୍ଥାର ସାରଦା ପ୍ରସନ୍ନ ବାରିକ୍ ନାମକ ଜଣେ କର୍ମଚାରୀ ଧଉଳି ଥାନାରେ ଏନେଇ ଲିଖିତ ଅଭିଯୋଗ କରିଥିଲେ। ଗତ ୨୦ ତାରିଖ ପୂର୍ବାହ୍ନ ପ୍ରାୟ ୧୦ଟା ସମୟରେ ଏହି ସଂସ୍ଥାର ସାରଦାପ୍ରସନ୍ନ ବିଶ୍ୱନାଥପୁର ଓ ବାଲିପାଟଣା ଅଞ୍ଚଳରେ ଥିବା ବିଭିନ୍ନ ମହିଳାମଣ୍ଡଳରୁ ୭୮ ହଜାର ୫୫ ଟଙ୍କା ଋଣ ଟଙ୍କା ସଂଗ୍ରହ କରି ଭୁବନେଶ୍ୱର ଅଫିସ୍ ଅଭିମୁଖେ ଫେରୁଥିଲେ। ହେଲେ ଏହି ଗ୍ୟାଙ୍ଗର ୬ ଜଣ ଦୁଇଟି ବାଇକ୍ରେ ସାରଦାପ୍ରସାଦଙ୍କୁ ପିଛା କରି ସରଦେଇପୁର ରାସ୍ତାରେ ତାଙ୍କ ନିକଟରୁ ଟଙ୍କା ବ୍ୟାଗ ଲୁଟି ନେଇ ପଳାଇଥିଲେ। ସାରଦାଙ୍କ ଅଭିଯୋଗକୁ ଆଧାର କରି ଧଉଳି ଥାନାରେ କେସ୍ ନଂ ୧୪/୧୮ରେ ଏକ ମାମଲା ରୁଜୁ କରି ପୁଲିସ ସେମାନଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରଖିଥିଲା। ବୁଧବାର ପୁଲିସ ଏହି ଗ୍ୟାଙ୍ଗ ଭୁବନେଶ୍ୱର-କଟକ ବାଇପାସ୍ ଜାତୀୟ ରାଜପଥରେ ଛିନ୍ତାଇ କରିବା ପାଇଁ ଯୋଜନା କରୁଥିବା ସଂପର୍କରେ ଖବର ପାଇ ଚଢ଼ଉ କରି ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା। କିନ୍ତୁ ପୁଲିସ ଚଢ଼ଉ ବେଳେ ସେଠାରୁ ଅନ୍ୟ ଦୁଇଜଣ ଖସି ପଳାଇବାରେ ସକ୍ଷମ ହୋଇଥିବା ନେଇ ସୂଚନା ମିଳିଛି ।
ଡକାୟତି ଗ୍ୟାଙ୍ଗ୍ର ୩ ଗିରଫ
ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କୁ ଲୁଟୁଥିଲେ, ୨୪ ହଜାର ଟଙ୍କା, ୨ ବାଇକ୍, ଖଣ୍ଡା ଓ କଟୁରି ଜବତ
/sambad/media/post_attachments/wp-content/uploads/2018/01/balianta-dacayat.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)