୫୦ ହଜାର ଟଙ୍କା ଲୁଟ୍; ଅଭିଯୁକ୍ତ ଗିରଫ, ୩୬ ହଜାର ଉଦ୍ଧାର

କାଳିଆପାଣି : କାଳିଆପାଣି ଥାନା ଅନ୍ତର୍ଗତ ରାଁସୋଳ ଶାଖା ପୋଷ୍ଟ ମାଷ୍ଟର ରୋହିତ କୁମ‌ାର ମୁଣ୍ଡରିଙ୍କ ବିଛଣା ଉପରୁ ଗତକାଲି ଜଣେ ସମ୍ପର୍କୀୟ ୫୦ ହଜାର ଟଙ୍କା ଲୁଟିନେଇ ଚମ୍ପଟ୍‌ ମାରିଥିଲା। ଲୁଟେରା ଜଣକ ବାଇକ୍‌ ଧରି ଦିନସାରା କାମାକ୍ଷାନଗର, ଭୁବନ ଓ କଙ୍କଡ଼ାହାଡ଼ ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ବୁଲି ମଉଜ ମସ୍ତି କରିଥିଲା। ଆଜି ସକାଳ ସାଢ଼େ ୬ଟା ବେଳେ ପୁଲିସ ହାତରେ ଧରାପଡ଼ିଥିଲା। କଲରଙ୍ଗି ଲକ୍ଷ୍ମୀ ପଡ଼ିଆରେ ଅନ୍ୟ ଜଣେ ବ୍ୟକ୍ତିକୁ ଅପେକ୍ଷା କରିଥିବା ‌ବେଳେ ଥାନା ଅଧିକାରୀ ରମାକାନ୍ତ ମୁଦୁଲି ଅଭିଯୁକ୍ତକୁ ଧରିଥିଲେ। ଅଭିଯୁକ୍ତ ଭୁବନ ଥାନା ଅନ୍ତର୍ଗତ ଅନଳ ଗାଁର ଯୁଗଳ ପୃଷ୍ଟି(୩୪)। ପୁଲିସ ତା’ ବାଇକ୍ ଓଡି-୦୬ଜି-୩୫୪୦ର ସିଟ୍‌ ତଳୁ ୩୬ ହଜାର ଟଙ୍କା ଉଦ୍ଧାର କରିଛି। ଏଥିସହ ଲୁଟେରା ଉକ୍ତ ଟଙ୍କାରୁ ଯାଜପୁରରୋଡ ବଜାରର ଜିତୁ ବାବୁଙ୍କୁ ୭ ହଜାର ଟଙ୍କା ଶୁଝିଥିବା ଓ ଅବଶିଷ୍ଟ ଟଙ୍କା ଖର୍ଚ୍ଚ କରିଥିବା ସ୍ବୀକାର କରିଛି।

ଆଜି ଅଭିଯୁକ୍ତକୁ କେସ୍‌ ନଂ ୨୯/୨୧ ଦଫା ୩୮୦ ରେ କୋର୍ଟ ଚାଲାଣ କରାଯାଇଛି। ପୋଷ୍ଟ ମାଷ୍ଟର ଶ୍ରୀ ମୁଣ୍ଡରିଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ସେ ଚିଙ୍ଗୁଡ଼ିପାଳସ୍ଥିତ ତାଙ୍କ ଭଡ଼ା ଘରେ ଥିବାବେଳେ ସେହି ଗାଁର ଜଣେ ଗ୍ରାହକ ପ୍ରଶାନ୍ତ କୁମାର ପ୍ରଧାନ ତାଙ୍କ ଜମାଖାତାରେ ୧ ଲକ୍ଷ ଟଙ୍କା ଜମା କରିବାକୁ ଆସିଥିଲେ। ଶ୍ରୀ ମୁଣ୍ଡରି ୫ଶହ ଟଙ୍କିଆ ବିଡ଼ା ଦୁଇଟିକୁ ତାଙ୍କ ବିଛଣା ଉପରେ ରଖି ଦୁଇବନ୍ଧୁ ଶିକ୍ଷକ ଗିରିଧାରୀ ଦେହୁରୀ ଓ ସ୍ବାସ୍ଥ୍ୟକର୍ମୀ ବିଷ୍ଣୁ ଚରଣ ନାଏକଙ୍କ ସହ ବାର୍ତ୍ତାଳାପ କରୁଥିଲେ। ଏହି ସୁଯୋଗରେ ଦେଓଗାଁରେ ରହି ରାଜମିସ୍ତ୍ରି ଭାବେ କାମ କରୁଥିବା ଅଭିଯୁକ୍ତ ଯୁଗଳ ସେଠାକୁ ଆସିଥିଲା। ପରିଚିତ ଥିବା ଶିକ୍ଷକ ଶ୍ରୀ ଦେହୁରୀଙ୍କୁ ପିଇବା ପାଣି ମାଗିଥିଲା। ପୋଷ୍ଟ ମାଷ୍ଟର ଶ୍ରୀ ମୁଣ୍ଡରି ଅନ୍ୟ ଏକ କାମରେ ଅଗଣାକୁ ଯାଇଥିବା ସୁଯୋଗରେ ଅଭିଯୁକ୍ତ ଉକ୍ତ ଟଙ୍କାରୁ ଗୋଟିଏ ବିଡ଼ା ଧରି ଫେରାର ହୋଇଯାଇଥିଲା। ଫୋନ୍‌ କଲେ ଉଠାଇ ନଥିଲା। ଶେଷରେ ଫୋନ୍‌ ଉଠାଇଥିଲେ ମଧ୍ୟ ଟଙ୍କା ପ୍ରସଙ୍ଗକୁ ଫାଙ୍କି ଦେଇଥିଲା। ଗତକାଲି ସଂଧ୍ୟା ଶ୍ରୀ ମୁଣ୍ଡରି ଥାନାରେ ଏତଲା ଦାୟର କରିଥିଲେ।

ସମ୍ବନ୍ଧିତ ଖବର