ଏକତରଫା ପ୍ରେମର କରୁଣ ପରିଣତି: କିରୋସିନ୍‌ ଢାଳି ନିଆଁ ଲଗାଇ ଯୁବତୀଙ୍କୁ ଜାଳିଦେଲା ବିଫଳ ପ୍ରେମିକ

ହାଇଦ୍ରାବାଦ: ସିକନ୍ଦରାବାଦ୍‌ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ୨୪ ବର୍ଷୀୟା ଜଣେ ଯୁବତୀଙ୍କୁ ଗୁରୁବାର ସଂଧ୍ୟାରେ ଜଣେ ଯୁବକ ନିଆଁ ଲଗେଇ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଜାଣିବାକୁ ମିଳିଛି ଯେ ବ୍ୟକ୍ତି ଜଣକ ହେଉଛନ୍ତି ପୀଡ଼ିତା ଯୁବତୀଙ୍କ ସହକର୍ମୀ। ପୀଡ଼ିତା ଯୁବତୀଙ୍କୁ ବ୍ୟକ୍ତି ଜଣକ ବହୁ ଦିନ ହେବ ଏକତରଫା ପ୍ରେମ କରୁଥିଲେ। ଯୁବତୀ ଜଣକ ସମର୍ଥନ ନ କରିବାରୁ ସେ ତାଙ୍କୁ ଜାଳି ଦେଇଥିବା ଅଭିଯୋଗ ହୋଇଛି। ଯୁବତୀ ଜଣଙ୍କୁ ଗତକାଲିଠାରୁ ନିକଟସ୍ଥ ହସ୍ପିଟାଲ୍‌ରେ ଚିକିତ୍ସା କରାଯାଉଥିଲା। ଆଜି ସକାଳୁ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ୍‌ ଅଭିଯୁକ୍ତକୁ ଗିରଫ କରିଛି।

ଉଲ୍ଲେଖଯୋଗ୍ୟ, ସଂଧ୍ୟା ରାଣୀ ନାମ୍ନୀ ଏହି ମୃତକ ଯୁବତୀ ଜଣକ ଏକ ଆଲୁମିନିୟମ୍‌ ନିର୍ମାଣ କମ୍ପାନିରେ ରିସେପ୍‌ନିଷ୍ଟ୍‍ ଭାବେ କାର୍ଯ୍ୟ କରୁଥିଲେ। ସେହି କମ୍ପାନିର ଯୁବତୀଙ୍କର ଜଣେ ୨୮ ବର୍ଷୀୟା ଏକତରଫା ପ୍ରେମୀ ଯୁବକ ତାଙ୍କୁ ଏକ ନିଛାଟିଆ ସ୍ଥାନକୁ ଡାକିଥିଲେ। କମ୍ପାନିଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ଏହି ସ୍ଥାନକୁ ଡାକି ଯୁବକ ଜଣକ ଯୁବତୀଙ୍କ ଉପରେ କିରୋସିନ ତେଲ ଢାଳି ନିଆଁ ଲଗାଇ ଜାଳି ଦେଇଥିଲେ। ମହିଳାଙ୍କ ଚିତ୍କାର ଶୁଣି କିଛି ପାଖ ଲୋକ ସାହାଯ୍ୟ କରିବାକୁ ଧାଇଁ ଆସିଥିଲେ। ସେତେବେଳକୁ ଯୁବତୀ ଜଣକ ପ୍ରାୟ ୬୦ ପ୍ରତିଶତ ଜଳି ଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ ନିଆଯାଇଥିଲା। ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳୁ ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର