ଲଭ୍‌-ସେକ୍ସ୍‌-ଧୋକା: ଅଧ୍ୟାପିକା, ଡିଜିଏମ୍‌ଙ୍କ ସମେତ ୫ ଗିରଫ

ରୢାକେଟ୍‌ର ସଂପୃକ୍ତି ନେଇ ସନ୍ଦେହ, ପୁଲିସ୍‌ର ଖୋଳତାଡ଼

ଭୁବନେଶ୍ବର/ଚନ୍ଦ୍ର‌ଶେଖରପୁର: ଲଭ୍‌-‌ସେକ୍ସ-‌ଧୋକା ଘଟଣା‌ରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ଆଜି ବ୍ୟାଙ୍କ ଡିଜିଏମ୍‌ ସୁନୀଲ ପ୍ରସାଦ ମିଶ୍ର ଓ ଅଧ୍ୟାପିକାଙ୍କ ସମେତ ମୋଟ ୫ଜଣଙ୍କୁ ଗିରଫ କରିଛି। ଅନ୍ୟ ୩ଜଣ ଅଧ୍ୟାପିକାଙ୍କ ବନ୍ଧୁ। ଜଣକ ନାମ ଆଲୋକ କୁମାର ଦତ୍ତ ହୋଇଥିବା ବେଳେ ଅନ୍ୟ ଦୁଇଜଣଙ୍କ ନାମ ଜଣାପଡ଼ିନାହିଁ। ତେବେ ତଦନ୍ତ ବେଳେ ଜଣଙ୍କର ସଂପୃକ୍ତି ନଥିବା ଜଣାପଡ଼ିବାରୁ ପୁଲିସ ତାକୁ ଛାଡ଼ି ଦେଇଛି। ବ୍ୟାଙ୍କ ଡିଜିଏମ୍‌ଙ୍କ ବିରୋଧରେ ପ୍ରେମ ପ୍ରତାରଣା, ଦୁଷ୍କର୍ମ ଓ ଅଶ୍ଳୀଳ ଭିଡିଓ ରେକର୍ଡିଂ କରିବା ଭଳି ସଙ୍ଗିନ୍ ଦଫା ଲାଗିଥିବା ବେଳେ ଅଧ୍ୟାପିକା ଓ ତାଙ୍କର ୩ ବନ୍ଧୁଙ୍କ ନାମରେ ଅପହରଣ ଯୋଜନା ଓ ଅର୍ଥ ଦାବି କରିବା ଭଳି ଦଫା ଲାଗିଛି। ଡିଜିଏମ୍‌ ଓ ଅଧ୍ୟାପିକା ପୃଥକ୍‌ ପୃଥକ୍‌ ଅଭିଯୋଗ କରିଥିବାରୁ କିଏ ସତ କହୁଛି, ସେ ନେଇ ପୁଲିସ୍‌ ଅଧିକ ତଦନ୍ତ ଚଳାଇଛି। ଉଭୟଙ୍କ ଫୋନ୍‌ କଲ୍‌ ରେକର୍ଡ ଯାଞ୍ଚ କରି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ କରିଛି। ଉଭୟଙ୍କ ଆରୋପରେ କିଛି ମାତ୍ରାରେ ସତ୍ୟାସତ୍ୟ ଥିବା ପୁଲିସ ଜାଣିବାକୁ ପାଇଛି। କିନ୍ତୁ ଡିଜିଏମ୍‌ଙ୍କୁ ଅପହରଣ କରାଯିବା ସଂପର୍କିତ ସୁରାକ୍‌ ପୁଲିସକୁ ଅଦ୍ୟାବଧି ମିଳି ପାରିନାହିଁ। ଅପରପକ୍ଷରେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଛି କି ନାହିଁ ଜାଣିବା ପାଇଁ ପୁଲିସ ତାଙ୍କର ଡାକ୍ତରୀମାଇନା କରାଇଛି।

ପ୍ରାଥମିକ ତଦନ୍ତ ବେଳେ ପୁଲିସକୁ ଏକ ରୢାକେଟ୍‌ ସମ୍ବନ୍ଧରେ ସୂଚନା ମିଳିଛି। ସୋସିଆଲ ମିଡିଆକୁ ବ୍ୟବହାର କରି ମୋଟା ଅଙ୍କର ଅର୍ଥ ରୋଜଗାର ଉଦ୍ଦେଶ୍ୟରେ କେତେକ ଯୁବତୀ ଏହି ରୢାକେଟ ଚଳାଉଛନ୍ତି। ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସୂଚନା ମୁତାବକ, ଏମାନେ ପ୍ରଥମେ ସୋସିଆଲ ମିଡିଆ ଜରିଆରେ ବଡ଼ବଡ଼ିଆଙ୍କୁ ଟାର୍ଗେଟ୍‌ କରିଥାନ୍ତି। ଯେଉଁମାନେ ଭଲ ଚାକିରି କରିଥାନ୍ତି ଓ ସୋସିଆଲ ଷ୍ଟାଟସ୍‌ ଥାଏ, ସେମାନଙ୍କୁ ପ୍ରେମ ଜାଲରେ ପକାଇ ଶାରୀରିକ ସମ୍ପର୍କ ପାଇଁ ଉସୁକାଇଥା’ନ୍ତି। ଶହେ ଜଣଙ୍କ ମଧ୍ୟରୁ ୬୦ଜଣ ଏଭଳି ଜାଲରେ ପଡ଼ି ଯାଉଛନ୍ତି ବୋଲି ଜଣାପଡ଼ିଛି। ସେମାନେ ଜାଲରେ ପଡ଼ିଗଲା ପରେ ସେମାନଙ୍କୁ ଏହି ଢଙ୍ଗ‌ରେ ବ୍ଲାକ୍‌ମେଲ୍‌ କରାଯାଉଛି। ସୋସିଆଲ ଷ୍ଟାଟସକୁ ଜଗି ଜାଲରେ ପଡ଼ିଥିବା ଯୁବକ ମୋଟା ଅଙ୍କର ଟଙ୍କା ଦେଇ ଆପୋସ ସମାଧାନ କରିବାକୁ ବାଧ୍ୟ ହେଉଛନ୍ତି। ଅନେକ ସମୟରେ ଏମାନେ ଯୁବକମାନଙ୍କର ମୋବାଇଲ ନେଇ ଗୁଗୁଲ ପେ’ ବା ଫୋନ୍‌ ପେ’ ଜରିଆରେ ମୋଟା ଅଙ୍କର ଅର୍ଥ ନିଜ ଆକାଉଣ୍ଟକୁ ସ୍ଥାନାନ୍ତର କରିଦେଉଥିବା ମଧ୍ୟ ଜଣାପଡ଼ିଛି। ତେବେ ଏହି ମାମଲାରେ ଉକ୍ତ ରୢାକେଟ୍‌ର ସମ୍ପୃକ୍ତି ଅଛି କି ନାହିଁ ତାହାର ତଦନ୍ତ କରାଯାଉଥିବା ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର