ଲଭ୍‌-ସେକ୍ସ-ଧୋକା : ବିଏସ୍‌ଏଫ୍‌ ଅଧିକାରୀଙ୍କ ନାମ‌‌ରେ ମାମଲା

ଭୁବନେଶ୍ବର : ଲଭ୍‌, ସେକ୍ସ, ଧୋକା ପରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ, ଫଟୋ ଭାଇରାଲ ଏବଂ ହତ୍ୟା ଧମକ। ଏଭଳି ଏକ ଅଭିଯୋଗରେ ମହିଳା ଥାନା ପୁଲିସ ଜଣେ ବିଏସ୍‌ଏଫ ଅଧିକାରୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ସେ ହେଲେ, ଜଗତସିଂହପୁର ଜିଲ୍ଲା ଚାଷୀଖଣ୍ଡର ମନୋଜ ମହାକୁଡ଼। ତାଙ୍କ ନାମରେ ଥାନାରେ ଏକ ମାମଲା ରୁଜୁ ହୋଇଛି। ସେ ବର୍ତ୍ତମାନ ଜଟଣୀର ବଡ଼ତୋଟା ଅଞ୍ଚଳରେ ବିଏସ୍‌ଏଫ୍‌ କ୍ୟାମ୍ପରେ କାର୍ଯ୍ୟରତ ଅଛନ୍ତି।

ସୂଚନା ମୁତାବକ, ଯୁବତୀଜଣକ ଏକ ବିଲ୍ଡର ସଂସ୍ଥାରେ ଏଜେଣ୍ଟ ଭାବରେ କାମ କରୁଥିଲେ। ମନୋଜ ଚନ୍ଦକା ଗୋଠପାଟଣା‌‌ରେ ଏକ ଆପାର୍ଟମେଣ୍ଟରେ ରହୁଥିଲେ। ଜମି ନେବା ପାଇଁ ମନୋଜ ବିଲ୍ଡର ସହ ଯୋଗାଯୋଗ କଲା ବେଳେ ଯୁବତୀଙ୍କ ସହ ସମ୍ପର୍କରେ ଆସିଥିଲେ। ହ୍ବାଟ୍‌ସ୍‌ ଆପ୍‌ ଜରିଆରେ କଥା ଆରମ୍ଭ କରିବା ସହ ସମ୍ପର୍କ ବଢ଼ାଇଥିଲେ। ମଝିରେ ସେ ପୀଡ଼ିତାଙ୍କୁ ପ୍ରେମ ନିବେଦନ କରିଥିଲେ। ପରେ ତାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ଯୁବତୀଜଣଙ୍କ ଗର୍ଭବତୀ ହେବାରୁ ମନୋଜ ଔଷଧ ଦେଇ ତାଙ୍କ ଗର୍ଭ ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଛି। ଖାଲି ସେତିକି ନୁହେଁ, ସମ୍ପର୍କ ରଖିବା ବେଳେ ସେ ଅନ୍ତରଙ୍ଗ ଭିଡିଓ ସୁଟିଂ କରିଥିଲେ। ପୀଡ଼ିତା ବିବାହ ପାଇଁ ଚାପ ପକାଇବାରୁ ଅଭିଯୁକ୍ତ ସଫା ମନା କରି ଦେଇଥିଲେ। ଜିଦି କଲେ ଏହି ସବୁ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିଦେବା ପାଇଁ ଚେତାବନୀ ଦେଇଥିଲେ। ବଦନାମ ଭୟରେ ଏହି ସବୁ ଫଟୋ ଓ ଭିଡିଓ ପୀଡ଼ିତା ଫେରାଇ ଆଣିବାକୁ ଚାହିଲେ। ଏଥିପାଇଁ ଦଫା ଦଫାରେ ଅଭିଯୁକ୍ତ ୨୦ ଲକ୍ଷ ଟଙ୍କା ନେଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୩୦ ଦିନ ଭିତରେ ଭୁବନେଶ୍ବର କମିସନରେଟ୍‌ ପୁଲିସ ଅଞ୍ଚଳରେ ଏଭଳି ୯ଟି ଘଟଣା ଘଟିଥିବା ବେଳେ ୨୦ ଦିନ ଭିତରେ ସରକାରୀ ଅଧିକାରୀଙ୍କ ନାମରେ ଏହା ୪ର୍ଥ ଅଭିଯୋଗ। ପୂର୍ବରୁ ସିଆରପିଏଫ୍‌ ଏସ୍‌ଆଇ, ବାଟାଲିୟନ କନେଷ୍ଟବଳ, ବାଟାଲିୟନ ସବ୍‌ଇନ୍ସପେକ୍ଟର ଓ ଏବେ ଜଣେ ବିଏସ୍‌ଏଫ୍‌ ଅଫିସର୍‌ଙ୍କ ନାମରେ ଏଭଳି ଅଭିଯୋଗ ହୋଇଥିଲା।

ସମ୍ବନ୍ଧିତ ଖବର