ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ, ଲୁଟ୍‌

ଦୁଇ ପ୍ରତାରିତା ଯୁବତୀ ଥାନାରେ, ଯୁବକ ଫେରାର

ଭୁବନେଶ୍ୱର: ସୋସିଆଲ ମିଡିଆରୁ ସମ୍ପର୍କ। ପରେ ମୋବାଇଲ୍‌ ନମ୍ବର ଦିଆନିଆ, ଭେଟାଭେଟି। ଏହା ପରେ ପ୍ରେମ ଜାଲରେ ଫସାଇ ଯୁବତୀଙ୍କୁ ଦୁଷ୍କର୍ମ ଓ ଲୁଟ୍‌। କୁଖ୍ୟାତ ଅପରାଧୀ ଚାର୍ଲସ ଶୋଭରାଜ ଷ୍ଟାଇଲ୍‌ରେ ଜଣେ ଯୁବକ ଏଭଳି ଜଣେ କିମ୍ବା ଦୁଇ ଜଣ ଯୁବତୀ ନୁହେଁ, ଅନେକ ଯୁବତୀଙ୍କୁ ନିଜ କୁତ୍ସିତ କାମନାର ଶିକାର କରିବା ସହ ସେମାନଙ୍କ ଟଙ୍କା ଓ ସୁନଗହଣା ଲୁଟି ନେଇ ଚମ୍ପଟ୍‌ ମାରିବା ଘଟଣା ସାମ୍ନାକୁ ଆସିଛି। ଆଜି ସଂପୃକ୍ତ ଯୁବକଙ୍କ ପ୍ରେମ ଜାଲରେ ପଡ଼ି ସର୍ବସ୍ୱ ହରାଇଥିବା ଦୁଇ ଜଣ ଯୁବତୀ ଏ ନେଇ ରାଜଧାନୀର ଦୁଇଟି ଭିନ୍ନ ଭିନ୍ନ ଥାନାରେ ଅଭିଯୋଗ କରିଛନ୍ତି। ପ୍ରତାରକ ଯୁବକ ଜଣକ ହେଲା ସୌମ୍ୟ ରଂଜନ ସ୍ୱାଇଁ। ନିଜ ଘର ଅନୁଗୁଳରେ। ଏଠାରେ ସେ ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀ ବିହାର ଅଞ୍ଚଳରେ ରହେ।

ସହିଦନଗର ଥାନା ଅଧୀନ ୟୁନିଟ-୯ ରୋଡ ନମ୍ବର ୪ରେ ରହୁଥିବା ଜଣେ ଯୁବତୀଙ୍କ ସହିତ ସୌମ୍ୟ ରଂଜନ ସାହୁଙ୍କର ଫେସବୁକ୍‌ରୁ ସମ୍ପର୍କ ଗଢ଼ି ଉଠିଥିଲା। ପରେ ପାଣ୍ଟାଲୁନ ନିକଟରେ ଦେଖା ସାକ୍ଷାତ ହୋଇଥିଲା। ଧୀରେ ଧୀରେ ସମ୍ପର୍କ ଘନିଷ୍ଠ ହେବା ପରେ ସୌମ୍ୟରଂଜନ ଦିନେ ଯୁବତୀଙ୍କୁ ତାଙ୍କ ଫ୍ଲାଟ୍‌କୁ ଡକାଇ ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିଲା। ଯୁବତୀ ଜଣକ ଘଟଣା ସଂପର୍କରେ ପୁଲିସକୁ ଜଣାଇବେ ବୋଲି କହିବାରୁ ସୌମ୍ୟ ତରବରରେ ତାଙ୍କୁ କାଳୀମନ୍ଦିର ନେଇ ବିବାହ କରିଥିଲା। କିନ୍ତୁ ଏହା ପରଠୁ ସେ ଆଉ ଧରା ଛୁଆଁ ଦେଉ ନାହିଁ। ଓଲଟି ଦୁହିଁଙ୍କର ଅନ୍ତରଙ୍ଗ ମୁହୂର୍ତର ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ୍‌ କରି ଦେବାକୁ ଧମକ ଦେଉଛି ବୋଲି ଯୁବତୀ ଜଣକ ଅଭିଯୋଗ କରିଛନ୍ତି।

ସେହିପରି ଚନ୍ଦ୍ରଶେଖରପୁର ଥାନା ଅଧୀନ ଶୈଳଶ୍ରୀବିହାରରେ ରହୁଥିବା ଅନ୍ୟ ଜଣେ ଯୁବତୀଙ୍କ ସହିତ ସୌମ୍ୟରଂଜନଙ୍କ ଫେସବୁକ୍‌ ମାଧ୍ୟମରେ ପରିଚୟ ହୋଇଥିଲା। ସେହି ସାମନ ଢଙ୍ଗରେ ଦେଖା ସାକ୍ଷାତ ଓ ସମ୍ପର୍କ ବଢ଼ିବା ପରେ ଦିନେ ସେ ତାଙ୍କୁ ପୁରୀ ନେଇ ଏକ ହୋଟେଲରେ ଥଣ୍ଡା ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିଲା। ଆଉ ଦୁଷ୍କର୍ମ ବେଳର ଦୃଶ୍ୟକୁ ମୋବାଇଲ୍‌ରେ ଭିଡିଓ ରେକର୍ଡିଂ ମଧ୍ୟ କରିଥିଲା। ଏହାର ପ୍ରତିବାଦ କରିବାରୁ ସୌମ୍ୟରଂଜନ ଯୁବତୀଙ୍କୁ ପୁରୀର ଏକ ମନ୍ଦିରରେ ବିବାହ କରିଥିଲା। କିନ୍ତୁ ଏବେ ଆଉ ଧରା ଛୁଆଁ ଦେଉ ନାହିଁ ବୋଲି ଯୁବତୀ ଜଣକ କହିଛନ୍ତି। ଓଲଟି ଏହି ଭିଡିଓକୁ ଭାଇରାଲ୍‌ କରିଦେବ ବୋଲି ଧମକ ଦେଉଛି।

ପ୍ରତାରିତ ହୋଇଥିବା ଦୁଇ ଯୁବତୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫ୍ରେଣ୍ଡସ ଫାଉଣ୍ଡେସନ୍‌ରେ ଜଣାଇବାରୁ ଉଭୟଙ୍କୁ ସାଙ୍ଗରେ ନେଇ ଆଇନଜୀବୀ ବବିତା କର ଓ ସତ୍ୟ ସାମଲ ସହିଦନଗର ଓ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗର ସତ୍ୟତା ନେଇ ପୁଲିସ ଅନୁସନ୍ଧାନ କରୁଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର