ପ୍ରେମିକାକୁ ଘରୁ ତଡ଼ି ପ୍ରେମିକ ଗିରଫ

ଖଣ୍ଡଗିରି: ରାତି ଅଧରେ ୮ ବର୍ଷର ପ୍ରେମିକାକୁ ଘରୁ ବାହାର କରି ମରଣମୁହଁକୁ ଠେଲି ଦେବା ଅଭିଯୋଗରେ ଆଜି ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ମୃଣ୍ମୟ ରାୟ(୩୫)। ଘର ପଶ୍ଚିମବଙ୍ଗ ଓ ସେ ଏୟାର୍‌ଫିଲ୍ଡ ଥାନା ଅନ୍ତର୍ଗତ ଏକ ଆପାର୍ଟମେଣ୍ଟରେ ରହୁଥିଲେ। ଚଳଚ୍ଚିତ୍ର ଏଡିଟିଂ କରୁଥିବା ମୃଣ୍ମୟଙ୍କ ପ୍ରେମିକା ରୋଜା (ଛଦ୍ମନାମ)ଙ୍କୁ ଗୁରୁବାର ରାତି ପ୍ରାୟ ୨ଟାବେଳେ ଖଣ୍ଡଗିରି ଟ୍ରାଫିକ୍‌ ଛକରୁ ଜଣେ ମହିଳା ସମାଜସେବୀ ଉଦ୍ଧାର କରି ଖଣ୍ଡଗିରି ଥାନା ପୁଲିସ ଜିମା ଦେଇଥିଲେ। ତାଙ୍କ ଅଭିଯୋଗ ଅନୁଯାୟୀ ଦୀର୍ଘ ୮ ବର୍ଷ କାଳ ପ୍ରେମ ସମ୍ପର୍କ ରଖିବା ପରେ ମୃଣ୍ମୟ ସେହି ରାତିରେ ତାଙ୍କୁ ଘରୁ ଧକ୍କା ଦେଇ ବାହାର କରିଦେଇଥିଲେ। ମୃଣ୍ମୟ ଏବେ ଅନ୍ୟ କିଛି ଯୁବତୀଙ୍କ ସହ ସମ୍ପର୍କ ରଖିଛନ୍ତି। ଏହି ଖବରର ସତ୍ୟତା ଜାଣିବା ପାଇଁ ଗୁରୁବାର ରାତିରେ ସେ ତାଙ୍କ ଘରକୁ ଯାଇଥିଲେ। ସତକୁ ସତ ସେ ମୃଣ୍ମୟଙ୍କ ସହ ଅନ୍ୟ ଜଣେ ଯୁବତୀଙ୍କୁ ଦେଖିଥିଲେ। ଫଳରେ ସେଠାରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଥିଲା। ମୃଣ୍ମୟ ତାଙ୍କୁ ମାଡ଼ ମାରି ଘରୁ ବାହାର କରି ଦେଇଥିଲେ।
ଅଭିଯୋଗ ପାଇବା ପରେ ଖଣ୍ଡଗିରି ଥାନା ପୁଲିସ ତୁରନ୍ତ ମୃଣ୍ମୟଙ୍କ ଘରେ ଚଢ଼ଉ କରି ତାଙ୍କୁ ଥାନାକୁ ଧରି ଆଣିଥିଲା। ସ୍କୁଲ ଜୀବନରୁ ଉଭୟଙ୍କ ଭିତରେ ପ୍ରେମ ସମ୍ପର୍କ ଥିଲା ବୋଲି ସେ ମାନିଥିଲେ ଓ ୨୦୧୧ ମସିହାରୁ ପ୍ରାୟ ଏକାଠି ରହୁଥିବା ସ୍ୱୀକାର କରିଥିଲେ। ରୋଜା ବିବାହ କରିବାକୁ କହୁଥିଲେ ବି ଭିନ୍ନ ଧର୍ମ ଯୋଗୁଁ ଏହା ସମ୍ଭବ ନୁହେଁ ବୋଲି ସେ ରୋକ୍‌ଠୋକ୍‌ ମନା କରି ଆସୁଥିଲେ। ତେଣୁ ପ୍ରତିଶୋଧ ପରାୟଣ ହୋଇ ରୋଜା ଏଭଳି ଏକ ମିଛ ନାଟକ ରଚନା କରିଥିବା ନେଇ ସେ ପାଲଟା ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର