ପ୍ରତାରଣା କରି ପ୍ରେମିକ ଗିରଫ

ଭୁବନେଶ୍ୱର : ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଓ ପରେ ପ୍ରତାରଣା କରିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ସେ ହେଲା ଭଦ୍ରକ ଜିଲ୍ଲା ଚାରିଘରିଆ ଅଞ୍ଚଳର ରାଜା ପ୍ରଧାନ। ଏଠାରେ ୟୁନିଟ୍‌-୬ ପିଚୁ ବସ୍ତିରେ ରହୁଥିଲା। ବର୍ଷେ ତଳେ ସ୍ଥାନୀୟ ଅଞ୍ଚଳର ଜଣେ ନାବାଳିକାଙ୍କ ସହ ରାଜାର ଭେଟ ହୋଇଥିଲା। ପ୍ରଥମ ଦେଖାରେ ରାଜା ନାବାଳିକାଙ୍କୁ ଭଲପାଇ ବସିଥିଲା। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ଼ ହୋଇଥିଲା। ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲା। କିଛିଦିନ ପରେ ନାବାଳିକା ଜଣଙ୍କ ଗର୍ଭବତୀ ହୋଇଥିଲେ। ତେଣୁ ସେ ବିବାହ ପାଇଁ ରାଜାଙ୍କୁ କହିଥିଲେ। ହେଲେ ରାଜା ବିବାହ କରିବାକୁ ମନା କରିଦେଇଥିଲା। ପାଲଟା ଗର୍ଭନଷ୍ଟ ପାଇଁ ନାବାଳିକାଙ୍କୁ ବାଟ ବତାଇଥିଲା। ଏହାକୁ ନେଇ କିଛିଦିନ ତଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରାଜା ରାଗିଯାଇ ନାବାଳିକାଙ୍କୁ ମାଡ଼ ମାରିବା ସହ ଫେରାର ହୋଇଯାଇଥିଲା। ଏନେଇ ନାବାଳିକା ଜଣଙ୍କ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା ରବିବାର ରାତିରେ ପୁଲିସର ଏକ ଟିମ୍‌ ଭଦ୍ରକ ସ୍ଥିତ ରାଜା ଘରେ ଚଢ଼ଉ କରି ତାକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର