ନୂଆଦିଲ୍ଲୀ: ହୋଲି ଅବ୍ୟବହିତ ପୂର୍ବରୁ ଲେଡି ଶ୍ରୀରାମ କଲେଜର ଜଣେ ଛାତ୍ରୀଙ୍କୁ ହଟହଟା କରାଯାଇଥିବାର ଅଭିଯୋଗ ହୋଇଛି। ଅତୀତରେ ସ୍ଥାନୀୟ ଅଞ୍ଚଳରେ ଲୋକେ ସେମାନଙ୍କ ଉପରକୁ ପାଣି ଭରା ବେଲୁନ୍ ଫିଙ୍ଗୁଥିବା କଥା ଅଭିଯୋଗ କରିଥିଲେ। କିନ୍ତୁ, ଏଥର ସେମାନଙ୍କ ଉପରକୁ ମନୁଷ୍ୟ ଧାତୁ ଭରା ବେଲୁନ୍ ଫିଙ୍ଗା ଯାଉଛି ବୋଲି ଅଭିଯୋଗ ଆସିଛି।
ରବିବାର ଦିନ ଅମର କଲୋନି ବଜାରରେ ଧାତୁ ଭରା ବେଲୁନ୍ ଫିଙ୍ଗା ଯାଇଛି ବୋଲି ଜଣେ ଛାତ୍ରୀ ସାମାଜିକ ଗଣମାଧ୍ୟମରେ ଲେଖିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ସେ ଲେଖିଥିଲେ, କେମେିତି ବେଲୁନ୍ ତାଙ୍କ ଦେହରେ ବାଜିଲା ଏବଂ ତାଙ୍କ କୁର୍ତ୍ତି ଓ ଲେଗିଙ୍ଗ୍ ଅପରିଷ୍କାର ହେଲା। ତାଙ୍କ ମନକୁ ବଡ଼ ଆଘାତ ଲାଗିଥିଲା। ତାଙ୍କର ଜଣେ ବାନ୍ଧବୀ କହିଥିଲେ କି, ଏ ଅଞ୍ଚଳରେ ଏ କଥା ସାଧାରଣ ହୋଇଗଲାଣି। ସେ ଏ କଥା କଲେଜର ଅନ୍ୟ ଛାତ୍ରୀମାନଙ୍କୁ କହିଥିଲେ।
ମଙ୍ଗଳବାର ଦିନ ଏହି ଘଟଣା ସମ୍ପର୍କରେ ଆଲୋଚନା କରିବାକୁ କଲେଜର ମହିଳା ବିକାଶ ସେଲ୍ ବୈଠକରେ ଏକତ୍ର ହୋଇଥିଲେ। ମାର୍ଚ ୮ ତାରିଖ ଠାରୁ ଛାତ୍ରୀମାନଙ୍କ ନିମନ୍ତେ ଆତ୍ମରକ୍ଷା କର୍ମଶାଳା କରାଇବାକୁ ଦିଲ୍ଲୀ ପୁଲିସ ପ୍ରତିଶ୍ରୁତି ଦେଇଛି। କିନ୍ତୁ, ସାଉଥ୍ଇଷ୍ଟ୍ ଡିସିପି ଚିନ୍ମୟ ବିଶ୍ୱାଳ କହନ୍ତି, ଏ ସମ୍ପର୍କରେ ପୁଲିସ କୌଣସି ବିଧିବଦ୍ଧ ଅଭିଯୋଗ ପାଇ ନାହିଁ। ତଥାପି ସେ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇ ଅନୁସନ୍ଧାନ କରାଯାଉଛି।
ସେଲ୍ ଏକ ବକ୍ତବ୍ୟରେ କହିଛି: ବର୍ଷ ତମାମ ଏମି ଘଟଣା ଘଟୁଥିଲେ ମଧ୍ୟ ହୋଲି ସମୟରେ ଏହା ଚରମ ସୀମାରେ ପହଞ୍ଚେ। ଏ ଭଳି ଘଟଣାରେ ଛାତ୍ରୀମାନେ ସେମାନଙ୍କର କ୍ରୋଧ, ହତାଶା ଏବଂ ଅସନ୍ତୋଷ ବ୍ୟକ୍ତ କରନ୍ତି। କଲେଜ ଆମର ଅଧିକାର ଭାବେ ନିରାପଦ ସ୍ଥାନ ପାଇବାକୁ ଆମେ ଦୃଢ଼ ଭାବେ ଲଢ଼ିବା ଆବଶ୍ୟକ। ଆମେ ସର୍ବସାଧାରଣରେ ନିରାପଦ ସ୍ଥାନ ପାଇଁ ଦାବି କରିବୁ।
ଛାତ୍ରୀମାନଙ୍କୁ ଏତଲା ଦେବା ପାଇଁ କଲେଜ ଛାତ୍ରୀ ସଂସଦର ଅଧ୍ୟକ୍ଷା ଅମିତା ଯାଦବ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/LSR-balloons.jpg)