ଲକ୍ଷ୍ମୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ମୌ ରାସ୍ତାରେ ହାଏଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା। ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ଅନ୍ୟ ଜଣେ ଯୁବତୀଙ୍କ ସହିତ ଦେଖିବା ପରେ ରାଗି ଯାଇଥିଲେ। ଏହାପରେ ମହିଳା ଜଣକ ତାଙ୍କ ସ୍ବାମୀଙ୍କ ପ୍ରେମିକାଙ୍କ କେଶକୁ ଧରି ରାସ୍ତାକୁ ଟାଣି ଆଣି ନିସ୍ତୁକ ପିଟିଥିଲେ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ସୂଚନାଯୋଗ୍ୟ, ବାରବାଙ୍କିର ଜଣେ ବ୍ୟକ୍ତି ସ୍ତ୍ରୀ ଥିବା ସତ୍ତ୍ବେ ତାଙ୍କ ପ୍ରେମିକାଙ୍କ ସହ ଲକ୍ଷ୍ମୌର ବିବିଡି ଅଞ୍ଚଳର ଏକ ରେସ୍ତୋରାଁକୁ ଯାଇଥିଲେ। ଏକଥା ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ କୌଣସି ସୂତ୍ରରୁ ଖବର ପାଇ ରେସ୍ତୋରାଁରେ ପହଞ୍ଚି ଯାଇଥି‌ଲେ।

ସେଠାରେ ସେ ସ୍ବାମୀଙ୍କୁ ଅନ୍ୟ ଜଣେ ଯୁବତୀଙ୍କ ସହ ଦେଖି ରାଗି ଯାଇଥିଲେ। ରାଗ ଉପରେ ନିୟନ୍ତ୍ରଣ ରକ୍ଷା କରି ନପାରି ରେସ୍ତୋରାଁ ଭିତରୁ ଯୁବତୀଙ୍କୁ ଘୋଷାଡ଼ି ଘୋଷାଡ଼ି ବାହାରକୁ ନେଇଯାଇଥିଲେ। ଏହି ସମୟରେ ମହିଳାଙ୍କ ଭାଇ ବି ଭିଣୋଇଙ୍କୁ ମାଡ଼ ମାରିଥିଲେ। ସ୍ଥାନୀୟଲୋକେ ମହିଳାଙ୍କୁ ବୁଝାଇବାକୁ ଅନେକ ଚେଷ୍ଟା କରିଥି‌ଲେ ହେଁ ସେ ଶାନ୍ତ ହୋଇ ନଥିଲେ। ଏହାପରେ ପୁଲିସକୁ ଖବର ଦିଆଯାଇଥିଲା।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ଥାନାକୁ ନେଇ ଯାଇଥିଲା। ଥାନାରେ ମହିଳା ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରି କହିଛନ୍ତି, ‘ସ୍ବାମୀ ମୋତେ ଛାଡ଼ପତ୍ର ନଦେଇ ଅନ୍ୟ ଯୁବତୀଙ୍କୁ ଧରି ବୁଲୁଛନ୍ତି। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।’

ସେହିପରି ସ୍ବାମୀ ସ୍ତ୍ରୀଙ୍କ ବିରୋଧରେ ମାଡ଼ ମାରିଥିବା ଥାନାରେ ଅଭିଯୋଗ କରିଛନ୍ତି।