ଲୁଧିଆନା: କିଛି ମାସ ତ‌ଳେ ମିରଟରେ ପ୍ରେମିକ ପାଇଁ ନେଭି ଅଫିସର ସ୍ବାମୀକୁ ହତ୍ୟା କରିଥିଲା ସ୍ତ୍ରୀ। ହତ୍ୟା ପରେ ସେ ଘରେ ଥିବା ନୀଳ ଡ୍ରମରେ ସ୍ବାମୀକୁ ରଖି ସିମେଣ୍ଟ କରିଦେଇଥିଲା। ସେ ସମୟରେ ଏହି ନୀଳ ଡ୍ରମ ଖୁବ ଚର୍ଚ୍ଚାରେ ଥିବା ବେଳେ ଏବେ ସେଭଳି ଏକ ଘଟଣା ଲୁଧିଆନାରେ ଘଟିଛି। ଏକ ପଡ଼ିଆରୁ ନୀଳ ଡ୍ରମ ଉଦ୍ଧାର କରାଯାଇଛି, ଯାହା ଭିତରେ ଜଣକର ମୃତଦେହ ଥିଲା ବୋଲି କହିଛି ପୁଲିସ। ତେବେ ମୃତଦେହଟି କାହାର, ‌ତାହା ଜଣାପଡ଼ିନାହିଁ।

Advertisment

କୁହାଯାଉଛି ଯେ, ଲୁଧିଆନାର ଶେରପୁର ଅଞ୍ଚଳରେ ନୀଳ ଡ୍ରମ୍ ଭିତରୁ ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ବୁଧବାର ସକାଳେ ଏକ ପଡ଼ିଆରେ ପଡ଼ିଥିବା ପରିତ୍ୟକ୍ତ ଡ୍ରମ୍‌ରୁ ପ୍ରବଳ ଦୁର୍ଗନ୍ଧ ବାହାରୁଥିବା ଦେଖି ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରମ ଖୋଲିବା ପରେ ଭିତରେ ଜଣେ ବ୍ୟକ୍ତିଙ୍କ ହାତ ଗୋଡ଼ ବନ୍ଧା ମୃତଦେହ ମିଳିଥିଲା। ହତ୍ୟା ପରେ ଜରି ଅଖାରେ ଭର୍ତ୍ତି କରାଯାଇ ଡ୍ରମରେ ଭିତରେ ମୃତଦେହକୁ ରଖାଯାଇଥିବା କହିଛି ପୁଲିସ। ମୃତଦେହ ଦେଖି ହତ୍ୟା ୨ଦିନ ପୂର୍ବରୁ ହୋଇଥିବା ପୁଲିସ ସନ୍ଦେହ କରୁଛି। ତେବେ ଯୁବକଙ୍କୁ କିଏ-କାହିଁକି ହତ୍ୟା କଲା, ସେ କେଉଁ ସ୍ଥାନର ବାସିନ୍ଦା ଏବଂ ତାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିନାହିଁ।