ନୂଆଦିଲ୍ଲୀ: ବିହାରର ମଧୁବନିରେ ସାପ କାମୁଡ଼ା ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ଇନ୍ଦଲ ଯାଦବ ବୟସ ୩୫ବର୍ଷ । ଇନ୍ଦଲ ସାପକୁ ଧରି ତାହା ସହିତ ଖେଳୁଥିଲେ। ଖେଳୁଖେଳୁ ଇନ୍ଦଲଙ୍କୁ ସାପ ଅନେକ ଥର ଦଂଶନ କରିଥିଲା। ଏହି ଦଂଶନ‌ରେ ଇନ୍ଦଲଙ୍କ ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଛି।  ସମ୍ପୂର୍ଣ୍ଣ ଘଟଣାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

Advertisment

ଏହି ଘଟଣାଟି ମଧୁବନିର ବେନିପଟ୍ଟି ବ୍ଲକ ଅଞ୍ଚଳର ସୋହରୌଲ ଗାଁରେ ଘଟିଛି। ସୋହରୌଲ ଗାଁରେ ଏକ ପୋଲ ତଳୁ ଇନ୍ଦଲ ଯାଦବ ନାମକ ବ୍ୟକ୍ତି ଏକ ବିଷାକ୍ତ ସାପ ଧରିଥିଲେ। ଏହି ସାପକୁ ଧରିବା ପରେ ଇନ୍ଦଲ ଯାଦବ ଭୟ ନକରି ସାପଟିକୁ ବେକରେ ଗୁଡ଼ାଇ ବୁଲିବା ଆରମ୍ଭ କରିଥିଲେ।

 ଉକ୍ତ ସାପକୁ ଦେଖିବା ପାଇଁ ଘଟଣାସ୍ଥଳରେ ଲୋକଙ୍କ ଭିଡ଼ ବି ଲାଗିଥିଲା। ଭିଡ଼ ଦେଖି ଇନ୍ଦଲ ଉତ୍ସାହିତ ହୋଇ ଯାଇଥିଲେ। ସାପ ତାଙ୍କୁ ଦଂଶନ ପରେ ଦଂଶନ କରି ଚାଲିଥିଲା। କିନ୍ତୁ ଇନ୍ଦଲ ଲୋକଙ୍କୁ ଦେଖାଇବା ପାଇଁ ସାହାସର ସହ ସାପକୁ ବେକରେ ପକାଇ ଖେଳୁଥିଲେ ଆଉ ବୁଲୁଥିଲେ। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକେ ଇନ୍ଦଲଙ୍କୁ ହସ୍ପିଟାଲ ନେବା ବଦଳରେ ଭିଡିଓ କରି ଚାଲିଥିଲେ।

ଧୀରେ ଧୀରେ ଇନ୍ଦଲଙ୍କ ଶରୀରରେ ବିଷର ପ୍ରଭାବ ବଢ଼ି ଯାଇଥିଲା। ହଠାତ ଇନ୍ଦଲ ଯାବଦ ତଳେ ପଡ଼ିଯାଇଥିଲେ। ତାଙ୍କ ବେକରେ ସାପ ଥିବାରୁ କେହି ତାକୁ ଉଠାଇବାକୁ ସାହସ କରି ନଥିଲେ। ଏଭଳି ପରିସ୍ଥିତିରେ ଇନ୍ଦଲ ବହୁତ କଷ୍ଟରେ ନିଜେ ସାପଟିକୁ ଏକ ବାକ୍ସରେ ବନ୍ଦ କରିଥିଲେ। ଏହା ପରେ ଗାଁ ଲୋକେ ତାଙ୍କୁ ବେନିପଟ୍ଟି ଡାକ୍ତରଖାନାକୁ ନେଇଯାଇଥିଲେ।  ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ଶରୀରରେ ବିଷ ବ୍ୟାପିଯିବାରୁ ବାଟରେ ଇନ୍ଦଲଙ୍କ ମୃତ୍ୟୁ ହୋଇଯାଇଥିଲା।