ମୁମ୍ବାଇ: ମହାରାଷ୍ଟ୍ରର ନାସିକ ଜିଲ୍ଲାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ୧୮ ବର୍ଷୀୟ ମହିଳାଙ୍କୁ ତାଙ୍କ ଭିଣୋଇ ଏବଂ ଅନ୍ୟ ଦୁଇଜଣ ମିଶି ଗଣବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରିଛି। ପୁଲିସ ଏହି ମାମଲାକୁ ଗମ୍ଭୀରତାର ସହ ଯାଞ୍ଚ କରୁଛି।
ପୁଲିସ କହିଛି ଯେ, ଏହି ଘଟଣା ଜାନୁଆରୀ ୨୨ ତାରିଖ ସକାଳ ୧୦ଟାରୁ ୨୩ ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ସହରର ପଞ୍ଚବଟି ଅଞ୍ଚଳରେ ଘଟିଥିଲା। ୩୧ ଘଣ୍ଟା ଧରି ଚାଲିଥିବା ଏହି ନିର୍ଯାତନା ସମୟରେ ଅଭିଯୁକ୍ତମାନେ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ, ଯାହା ଫଳରେ ସେ ଅନେକ ଥର ଚେତାଶୂନ୍ୟ ହୋଇଯାଇଥିଲେ, କିନ୍ତୁ ସେ କୌଣସି ପ୍ରକାରେ ସେମାନଙ୍କ କବଳରୁ ଖସି ଆସିବାରେ ସଫଳ ହୋଇଥିଲେ।
ସୂଚନା ଦେଇ ପୁଲିସ କହିଛି ଯେ, ଏହି ଘଟଣାରେ ଆଉ ଦୁଇ ଜଣ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ମହିଳାଙ୍କ ଦ୍ୱାରା ଦାଖଲ କରାଯାଇଥିବା ଅଭିଯୋଗ ଅନୁଯାୟୀ, ତାଙ୍କର କିଛି ମାସ ପୂର୍ବରୁ ବିବାହ ହୋଇଥିଲା ଏବଂ ସେ ସେତେବେଳେ ନାବାଳିକା ଥିବାରୁ ତାଙ୍କ ପରିବାର ସଦସ୍ୟମାନେ ତାଙ୍କ ସ୍ୱାମୀଙ୍କ ବିରୋଧରେ ମୁମ୍ବାଇର ଅନ୍ଧେରୀସ୍ଥିତ ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ଏହା ପରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ତାଙ୍କ ସ୍ୱାମୀ ବର୍ତ୍ତମାନ ମୁମ୍ବାଇ ଜେଲରେ ଅଛନ୍ତି। ନିକଟରେ ସ୍ୱାମୀଙ୍କ ଭିଣୋଇ ମହିଳାଙ୍କୁ ଗ୍ୟାରେଣ୍ଟର ହେବା ପାଇଁ ନାସିକକୁ ଡକାଇଥିଲେ। ଏହା ପରେ ସେ ତାଙ୍କ ବନ୍ଧୁମାନଙ୍କ ସହିତ ମିଶି ତାଙ୍କୁ ଗଣଦୁଷ୍କର୍ମ କରିଥିଲେ।
ମହିଳା ଜଣକ ବୁଧବାର ସକାଳ ପ୍ରାୟ ୮.୩୦ ସମୟରେ ନାସିକରେ ପହଞ୍ଚିଥିଲେ। ତାଙ୍କ ଭିଣୋଇ ଓ ଅନ୍ୟ ଅଭିଯୁକ୍ତମାନେ ତାଙ୍କ ସ୍ୱାମୀଙ୍କ ଗ୍ୟାରେଣ୍ଟରଙ୍କୁ ଭେଟିବା ବାହାନାରେ ପଞ୍ଚଭଟି ଅଞ୍ଚଳର ଏକ ଖୋଲା ପଡ଼ିଆକୁ ନେଇଯାଇଥିଲେ। ଭିଣୋଇ ତାଙ୍କୁ କିଛି ଖାଦ୍ୟ ଖାଇବାକୁ ଦେଇଥିଲେ, କିନ୍ତୁ ମହିଳା ଜଣକ ମନା କରିଦେଲେ।
ଏହା ପରେ ଭିଣୋଇ ତାଙ୍କୁ ଗଛରେ ବାନ୍ଧି ଦେଇଥିଲେ। ଅପରାହ୍ନ ପ୍ରାୟ ୧.୩୦ ସମୟରେ ସେମାନେ ତାଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ଦୁଷ୍କର୍ମ କରିଥିଲେ, ଯାହା ଫଳରେ ସେ ଚେତାଶୂନ୍ୟ ହୋଇ ପଡ଼ିଥିଲେ।
ସକାଳ ପ୍ରାୟ ୭.୩୦ ସମୟରେ ଯେତେବେଳେ ତାଙ୍କୁ ଚେତା ଫେରିଥିଲା ତାଙ୍କୁ କଥାହେବା ଓ ଚାଲିବାରେ ଅସୁବିଧା ହେଉଥିଲା। ମହିଳା ଜଣକ ଭିଣୋଇଙ୍କ କବଳରୁ ଖସିଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ଅଭିଯୁକ୍ତମାନେ ତାଙ୍କୁ ପୁଣି ଧରି ପକାଇଥିଲେ ଏବଂ ପୁଣି ଥରେ ପିଟିଥିଲେ। ଏହା ପ୍ରାୟ ୫ଟା ପର୍ଯ୍ୟନ୍ତ ଚାଲିଲା।