ମୁମ୍ବାଇ: ଗତ କିଛି ଦିନ ହେବ ପୁଲିସ୍କୁ ଖୁଆଇ ପିଆଇ ଦେଉନଥିବା ମହାରାଷ୍ଟ୍ରର ଜଣେ ଚେନ୍ ଚୋର ନିଜେ ଜଣେ ପୁଲିସ୍ ବୋଲି ଜାଣିବାକୁ ମିଳିଛି। ଏହି ପୁଲିସ୍ ଟର୍ଣ୍ଣଡ୍ ଚୋରକୁ ଚେନ୍ ହରାଇଥିବା ମହିଳା ଜଣକ ଚିହ୍ନିବା ପରେ ଗୁରୁବାର ପୁଲିସ୍ ଧରିବାରେ ସମର୍ଥ ହୋଇଛି।
ଅଭିଯୁକ୍ତ ଯୋଗେଶ ସିଙ୍ଗ୍ରେ(୩୩) ଔରଙ୍ଗାବାଦ୍ରେ ଇଣ୍ଡିଆନ୍ ରିଜର୍ବ ବ୍ୟାଟେଲିଆନ୍(ଆଇଆର୍ବି)ରେ ଗତ ପାଞ୍ଚ ବର୍ଷ ହେବ କାର୍ଯ୍ୟ କରୁଥିଲେ। ସେ ସହରର ଅଫିସିଆଲ୍ କ୍ୱାଟର୍ରେ ରହୁଥିଲେ ବୋଲି ସୂଚନା ରହିଛି।
ସତାରା ଅଞ୍ଚଳରେ ଥିବା ପୁଲିସ୍ ଷ୍ଟେସନ୍ର ସିନିୟର୍ ଇନ୍ସ୍ପେକ୍ଟର ପ୍ରେମସାଗର ଚନ୍ଦ୍ରମୋର କହିଛନ୍ତି କି ସିଙ୍ଗାରେ ନିଜେ ସ୍ୱୀକାର କରିଛନ୍ତି କି ସେ ପ୍ରାୟ ୬ ଜଣରୁ ଊର୍ଧ୍ୱ ମହିଳାଙ୍କ ବେକରୁ ସୁନା ଚେନ୍ ଝିଙ୍କି ନେଇଛନ୍ତି।
ଗତ ଅଗଷ୍ଟ ୨୪ ତାରିଖରେ ବାଇପାସ୍ ରୋଡର ରେଣୁକାପୁରମ୍ର ବାସିନ୍ଦା ସୁରେଖା ରାଜେନ୍ଦ୍ର ଥାଲେ(୩୮) ଅଭିଯୋଗ ଆଣିଥଲେ ଯେ ସେ ବେକରେ ପିନ୍ଧିଥିବା ୩୭,୫୦୦ ଟଙ୍କାର ସୁନା ଚେନ୍କୁ କେହି ଜଣେ ବାଇକ୍ରେ ଆସି ଝିଙ୍କି ନେଇଥିଲା।
ସୌଭାଗ୍ୟକୁ ନବରାତ୍ରୀରେ ମନ୍ଦିରରେ ଭିଡ଼ ଲାଗିଥିବା ସମୟରେ ଥାଲେ ସେଠାରେ ତାଙ୍କ ବେକରୁ ଚେନ୍ ଛଡ଼ାଇ ନେଇଥିବା ଲୋକକୁ ଦେଖିବାକୁ ପାଇବା ପରେ ପୁଲିସ୍କୁ ଜଣାଇଥିଲେ। ଜାଣିବାକୁ ମିଳିଛି ଯେ ଥାଲେ ଚିହ୍ନଟ କରିଥିବା ଲୋକ ଜଣକ ନିଜେ ପୁଲିସ୍।