ମୁମ୍ବାଇ: ମହାରାଷ୍ଟ୍ରର ଅମ୍ରାବତୀରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ କରୋନାଭାଇରସ୍‌ ଲାବୋରେଟୋରୀ ଟେକ୍ନିସିଆନ ଜନୈକା ରୋଗୀଙ୍କ କରୋନାଭାଇରସ୍‌ ପରୀକ୍ଷା କରିବା ପାଇଁ ତାଙ୍କ ସ୍ୱାବ୍‌ ବା ନମୁନା ଯୌନାଙ୍ଗରୁ ସଂଗ୍ରହ କରି ପୁଲିସ୍‌ ହାତରେ ଗିରଫ ହୋଇଛି।

Advertisment

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ ଅମ୍ରାବତୀର ଏକ ମଲରେ କାର୍ଯ୍ୟ କରୁଥିବା ଜନୈକା ୨୪ ବର୍ଷୀୟା ମହିଳା ତାଙ୍କର ଜଣେ ସହକର୍ମୀ କରୋନାଭାଇରସ୍‌ ପଜିଟିଭ୍‌ ରୂପେ ଚିହ୍ନଟ ହେବା ପରେ ନିଜର କରୋନାଭାଇରସ୍‌ ନମୁନାର ପରୀକ୍ଷା କରାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ଥିବା କୋଭିଡ ଟ୍ରମା ସେଣ୍ଟର ଲ୍ୟାବକୁ ଯାଇଥିଲେ। ସେଠାରେ ଥିବା ଲ୍ୟାବ ଟେକ୍ନିସିଆନ ତାଙ୍କୁ କହିଥିଲେ ଯେ କରୋନାଭାଇରସ୍‌ ଓ କୋଭିଡ୍‌-୧୯ର ସଠିକ୍‌ ପରୀକ୍ଷା ଫଳାଫଳ ପାଇଁ ଗୁପ୍ତାଙ୍ଗରୁ ସ୍ୱାବ ନେବା ଜରୁରୀ ଅଟେ। ଏହା କହି ସେ ତାଙ୍କ ଗୁପ୍ତାଙ୍ଗରୁ ସ୍ୱାବ ନମୁନା ସଂଗ୍ରହ କରିଥିଲେ।

publive-imageପରୀକ୍ଷା ପରେ ମହିଳା ଜଣକ ତାଙ୍କ ଭାଇଙ୍କ ସହ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ଡାକ୍ତରଙ୍କ ଠାରୁ ଏସଂପର୍କରେ ପଚାରିି ବୁଝିଥିଲେ। ଡାକ୍ତର ତାଙ୍କୁ କରୋନାଭାଇରସ୍‌ ପାଇଁ ସେପରି କୌଣସି ପରୀକ୍ଷା ନାହିଁ ବୋଲି କହିଥିଲେ। ପରେ ମହିଳା ଜଣକ ଥାନାକୁ ଯାଇ ଘଟଣା ସଂପର୍କରେ ଅଭିଯୋଗ କଲାପରେ ପୁଲିସ୍‌ ଘଟଣାର ତଦନ୍ତ କରି ସଂପୃକ୍ତ ଅଭିଯୁକ୍ତ ଲ୍ୟାବ୍‌ ଟେକ୍ନିସିଆନଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରିଛି।

ଅନ୍ୟପକ୍ଷରେ ମହାରାଷ୍ଟ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶୋମତୀ ଠାକୁର ଏହି ଘଟଣା ସଂପର୍କରେ ଜାଣିବା ପରେ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।