କ୍ୟାମ୍ପସରେ ଉତ୍ତେଜନା: ମହର୍ଷି କଲେଜ ଛାତ୍ରଙ୍କୁ ଛୁରିରେ ଆକ୍ରମଣ

ଭୁବନେଶ୍ୱର: ମହର୍ଷି କଲେଜ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ।  ଏ ନେଇ ସୁବାଶିଷ ପ୍ରଧାନ ନାମକ ଜଣେ ଛାତ୍ର ସହିଦନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ଘଟଣା ପରେ କ୍ୟାମ୍ପସରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ଦୀର୍ଘ ଦିନ ଧରି ଧରି ନିରବ ଥିବା ମହର୍ଷିି କଲେଜ୍‌ କ୍ୟାମ୍ପସ ଆଜି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ଦିନ କଲେଜ୍‌ କ୍ୟାମ୍ପସରେ ସୁବାଶିଷ ପ୍ରଧାନ ନାମକ ଜଣେ ଛାତ୍ରଙ୍କୁ ଛୁରିରେ ଆକ୍ରମଣ ପରେ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସୁବାଶିଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା। ହେଲେ ସୁବାଶିଷଙ୍କୁ ଆକ୍ରମଣ ପରେ ଉତ୍ତ୍ୟକ୍ତ ଛାତ୍ରମାନେ ଥାନକୁ ଆସି ଅଭିଯୁକ୍ତମାନଙ୍କୁ ଗିରଫ ଦାବି କରିଥିଲେ। ସହିଦନଗର ଥାନା ଆଇଆଇସି କିଶୋର ମୁଣ୍ଡ ବୁଝାସୁଝା ପରେ ଛାତ୍ରମାନେ କଲେଜ ଫେରିଥିଲେ।

ସୂଚନା ମୁତାବକ, ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହର୍ଷି କଲେଜ୍‌ର ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ମଙ୍ଗଳବାର  ଦିନ ପ୍ରାୟ ସାଢ଼େ ୧୨ଟା ସମୟରେ ସୁବାଶିଷ କ୍ୟାମ୍ପସରେ ସାଙ୍ଗମାନଙ୍କ ସହ ଖଟି କରୁଥିଲେ। ଏହି ସମୟରେ ୩ଜଣ ଛାତ୍ର ଓ ଅଣଛାତ୍ର ଏକ ବାଇକ୍‌ରେ ଆସି ସୁବାଶିଷଙ୍କ ନିକଟରେ ଚକର କାଟିଥିଲେ। ଯୁବକମାନେ ବାଇକ୍‌ରୁ ଓହ୍ଲାଇ ସୁବାଶିଷଙ୍କୁ ଗାଳିଗୁଲଜ କରିଥିଲେ। ସୁବାଶିଷ ପ୍ରତିବାଦ କରିବାରୁ ଯୁବକମାନେ ଅଚାନକ ତାଙ୍କୁ ଛୁରିରେ ଆକ୍ରମଣ କରିଥିଲେ। ଫଳରେ ସୁବାଶିଷଙ୍କ ମୁଣ୍ଡରେ କ୍ଷତ ସୃଷ୍ଟି ହୋଇଥିଲା। ଏନେଇ ସୁବାଶିଷ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର