ଥାଣେ : ଥାଣେର ଭିଓ୍ଵାଣ୍ଡିରେ ଜଣେ ୩୨ବର୍ଷୀୟ ଯୁବକ ନିଜ ପତ୍ନୀଙ୍କୁ ତିନ୍ ତଲାକ କହି ଛାଡ଼ପତ୍ର ଦେଇଥିବାରୁ ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି । ଅଭିଯୁକ୍ତ ସ୍ୱାମୀ ସହ ପରିବାରର ଅନ୍ୟ କିଛି ସଦସ୍ୟଙ୍କ ବିରୋଧରେ ମଧ୍ୟ ଏତଲା ରୁଜୁ କରାଯାଇଥିବା ଜଣା ପଡ଼ିଛି । ବିବାହ ପରେ ପରେ ଯୌତୁକ ପାଇଁ ପୀଡ଼ିତାଙ୍କୁ ଶାଶୁଘର ଲୋକେ ମାଡ଼ ମାରୁଥିବା ବେଳେ ଶେଷରେ ଅଭିଯୁକ୍ତ ତିନ ତଲାକ ଦେଇଥିବା ଅଭିଯୋଗ କରିଛନ୍ତି ପୀଡ଼ିତା ।
ପୀଡ଼ିତାଙ୍କ ଅନୁଯାୟୀ, ମେ’ ୨୮, ୨୦୧୬ରେ ତାଙ୍କର ବିବାହ ଆମୀର ମୁଖତର ଆମୀର ମୋମିନଙ୍କ ସହ ହୋଇଥିଲା । ବିବାହର ୧୫ଦିନ ପର୍ଯ୍ୟନ୍ତ ସବୁ ଠିକ୍ ଚାଲିଥିବା ବେଳେ ପରେ ପରେ ପୀଡ଼ିତାଙ୍କ ଶାଶୁ ଘର ଲୋକେ ଯୌତୁକ ମାଗିବା ଆରମ୍ଭ କରିଥିଲେ । ଡ଼ରରେ ପୀଡ଼ିତାଙ୍କ ପରିବାର ଲୋକେ ଶାଶୁ ଘରକୁ ମାଗୁଥିବା ଜିନିଷ ଦେବା ଆରମ୍ଭ କରିଥିଲେ । କିଛି ବର୍ଷ ପରେ ପୀଡ଼ିତାଙ୍କ ଚାକିରି ହେବାରୁ ସେ ଘରକୁ ଚଳାଇବା ପାଇଁ ଟଙ୍କା ଦେଇଥିଲେ । ଯାହା ପରେ ଶାଶୁଘର ଲୋକଙ୍କ ନିର୍ଯ୍ୟତନା କମ ହୋଇ ଯାଇଥିଲା । କିନ୍ତୁ ନିଜର ଡେଳିଭରୀ ପାଇଁ ପୀଡ଼ିତା ନିଜ ବାପ ଘରକୁ ଯିବାରୁ ଶାଶୁ ଘର ଲୋକେ ପୀଡ଼ିତାଙ୍କୁ ଆପଣାଇବାକୁ ମନା କରି ଦେଇଥିଲେ । ପରିବାରର ପରାମର୍ଶକ୍ରମେ ପୀଡ଼ିତା ଶାଶୁ ଘରକୁ ଆସିଥିଲେ ମଧ୍ୟ ଆମୀର ତାଙ୍କୁ ତିନ ତଲାକ କହି ଛାଡ଼ପତ୍ର ଦେଇଥିଲେ । ଯାହା ପରେ ପୀଡ଼ିତା ପୁଲିସରେ ଅଭିଯୋଗ କରିବା ପାଇଁ ପହଞ୍ଚିଥିଲେ ।