କାନପୁର: କାନପୁରର ଅହିରୱା ଗ୍ରାମରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ସହିତ ଝଗଡ଼ା କରି ନଦୀକୁ ଡେଇଁପଡ଼ିଥିବା ସ୍ତ୍ରୀ କୁମ୍ଭୀର ଭୟରେ ରାତିସାରା ଗଛ ଉପରେ ରହିଥିବା ଦାବି କରିଛନ୍ତି।

Advertisment

ଅହିରୱାରେ ବସବାସ କରୁଥିବା ଦମ୍ପତି ସୁରେଶ ଓ ମାଳତୀଙ୍କ ମଧ୍ୟରେ ଚା’ ତିଆରି କରିବା ଘଟଣାକୁ ନେଇ ଝଗଡ଼ା ଲାଗିଥିଲା। ଏହି ଝଗଡ଼ା ପରେ ମାଳତୀ ରାଗି ଯାଇ ଜାଜମଉ ନିକଟସ୍ଥ ଗଙ୍ଗାନଦୀର ପୋଲ ଉପରକୁ ଯାଇ ତଳକୁ ଡେଇଁ ପଡ଼ିଥିଲେ।  ଯେମିତି ହିଁ ସେ ନଦୀକୁ ଡେଇଁପଡ଼ିଥିଲେ ତାଙ୍କ ସାମ୍ନାକୁ ଆସିଯାଇ ଥିଲା ଏକ କୁମ୍ଭୀର।

କୁମ୍ଭୀରକୁ ଆଖି ସାମ୍ନାରେ ଦେଖି ମାଳତୀ ଭୟଭୀତ ହୋଇଯାଇଥିଲେ। ଉପସ୍ଥିତ ବୁଦ୍ଧି ଖଟାଇ ଜୀବନବିକଳରେ ପହଁରି ପହଁରି କୂଳରେ ଆସି ଲାଗିଥିଲେ। ସାମ୍ନାରେ ଏକ ଗଛ ଦେଖି ତା’ପରେ ଚଢ଼ି ଯାଇଥିଲେ। ରାତିସାରା ଉକ୍ତ ଗଛ ଉପରେ ରହିବା ପରେ ସକାଳୁ ଗ୍ରାମବାସୀ ମାଳତୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପୁଲିସରେ ସୂଚନା ଦେଇଥିଲେ।

ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଳତୀଙ୍କ ସ୍ବାମୀଙ୍କୁ ଡକାଇ ପଚରାଉଚରା କରିଥିଲା। ଏହି ସମୟରେ ମାଳତୀଙ୍କ ସ୍ବାମୀ ସୁରେଶ କହିଥିଲେ, ‘ଅନେକ ସମୟରେ ଆମ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥାଏ। ଯେଉଁ କାରଣରୁ ମାଳତୀ ଘର ଛାଡ଼ି ଚାଲି ଯାଇଥାଏ କିନ୍ତୁ କିଛିଘଣ୍ଟା ପରେ ପୁଣି ଫେରି ଆସିଥାଏ। କିନ୍ତୁ ଏଥର ଯେ ସେ ଗଙ୍ଗା ନଦୀକୁ ଡେଇଁ ପଡ଼ିବ ଏକଥା ମୁଁ ଜାଣି ନଥିଲି।’