ଯୁବତୀଙ୍କୁ ଧୋକା, ଯୁବକ ଗିରଫ

ଧରା ପକାଇଦେଲା ଫେସ୍‌ବୁକ୍‌ରେ ନିର୍ବନ୍ଧ ଭିଡିଓ

ଖଣ୍ଡଗିରି : ଜଣେ ଯୁବତୀଙ୍କୁ ପ୍ରେମ କରି ପରେ ଧୋକା ଦେଇଥିବା ଅଭିଯୋଗରେ ଗୁରୁବାର ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ସ୍ଥାନୀୟ ବରବାରୀରେ ରହୁଥିବା ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଛେଳିଗୁହାଳ ଗାଁର ତାପସ କୁମାର ବେହେରା(୩୧)। ସେ ସ୍ଥାନୀୟ ଏକ ଔଷଧ ଦୋକାନରେ କାମ କରନ୍ତି।

ପୁଲିସ ସୂଚନାନୁସାରେ ଜାଗମରା ଅଞ୍ଚଳରେ ଭଡ଼ାରେ ରହି ଏକ ବିଉଟି ପାର୍ଲରରେ କାମ କରୁଥିବା ମିତୁ(ଛଦ୍ମନାମ)ଙ୍କ ସହ ତାପସଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୁହେଁ ଗୋଟିଏ ବଜାରରେ ପାଖାପାଖି ଦୁଇଟି ଦୋକାନରେ କାମ କରୁଥିଲେ। ତେଣୁ ସେମାନଙ୍କ ଭିତରେ ଏହି ପ୍ରେମ ସମ୍ପକ ଅଧିକ ନିବିଡ଼ ହୋଇଥିଲା। ମିତୁଙ୍କ ଅଭିଯୋଗ ଅନୁସାରେ ଏହି ସମ୍ପର୍କ କ୍ରମେ କ୍ରମେ ଘନିଷ୍ଠ ହେବା ପରେ ତାପସ ତାଙ୍କୁ ବିବାହ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ବିବାହର ପ୍ରଲୋଭନ ଦେଖାଇ ତାପସ ତାଙ୍କ ସହ ଦୈହିକ ସମ୍ପର୍କ ରଖିଥିଲା ବୋଲି ମତୁ ଅଭିଯୋଗରେ ଦର୍ଶାଇଛନ୍ତି। ମାତ୍ର ଏ ଭିତରେ ତାପସ ତାଙ୍କୁ ଲୁଚାଇ ଅନ୍ୟତ୍ର ବିବାହ କରିବାକୁ ବସିଥିଲା। ଫେସ୍‌ବୁକ୍‌ରେ ତାପସଙ୍କ ନିର୍ବନ୍ଧ ହେଉଥିବାର ଭିଡିଓ ଦେଖିବା ପରେ ମିତୁ ସବୁ କିଛି ଜାଣି ଯାଇଥିଲେ। ଏ ନେଇ ମିତୁ ପଚାରିବା ପରେ ତାପସ ସତ ମାନି ଯାଇଥିଲେ ଓ ସେ ତାଙ୍କୁ ବିବାହ କରିବ ନାହିଁ ବୋଲି ରୋକ୍‌ଠୋକ୍‌ ମନା କରି ଦେଇଥିଲା। ପ୍ରତାରଣାର ଶିକାର ହେବା ପରେ ମିତୁ ବାଧ୍ୟ ହୋଇ ଖଣ୍ଡଗିରି ଥାନା ପୁଲିସର ଦ୍ୱାରସ୍ଥ ହୋଇ ନ୍ୟାୟ ମାଗିଥିଲେ। ଉଲ୍ଲେଖଯୋଗ୍ୟ ଯେ ତାପସଙ୍କ ନିର୍ବନ୍ଧର ଭିଡିଓ ଫେସ୍‌ବୁକ୍‌ରେ ଅନ୍ୟ କେହି ଅପ୍‌ଲୋଡ୍‌ କରିଥିଲେ ଓ ତାହା ମିତୁଙ୍କ ନଜରରେ ପଡ଼ି ଯାଇଥିଲା। ଫଳରେ ମିତୁଙ୍କ ସହ ତାପସର ଛଳନାର ଖେଳ ଧରାପଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର