ତିରୁବନନ୍ତପୁରମ୍: କେରଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ୫୦ ଜଣରୁ ଊର୍ଧ୍ୱ ମହିଳାଙ୍କ ସହ ଯୌନ ଅସଦାଚରଣ କରିଥିବା ଅଭିଯୋଗରେ କେରଳର ଜଣେ ୨୫ ବର୍ଷିଅ ଯୁବକକୁ ଗିରଫ କରାଯାଇଛି। ବ୍ୟକ୍ତି ଜଣକ ସୋସିଆଲ୍ ମିଡିଆ ଜରିଆରେ ଉକ୍ତ ମହିଳାମାନଙ୍କ ସହ ସଂଯୋଗରେ ଆସିଥିଲା। ସେମାନଙ୍କୁ ସେମାନଙ୍କର ଏଡିଟେଡ ଫଟୋ ଜରିଆରେ ବ୍ଲାକ୍ମେଲ୍ କରି ସଂପର୍କ ସ୍ଥାପନ ପାଇଁ ବାଧ୍ୟ କରୁଥିଲା।
ଏଟୁମାନୁରର ଏରୁପରମ୍ବୁ ଅଞ୍ଚଳର ପ୍ରଦେଶ କୁମାରକୁ ପୁଲିସ୍ ଶୁକ୍ରବାର ଜଣେ ମହିଳାଙ୍କ ଅଭିଯୋଗକୁ ଭିତ୍ତିକରି ଗିରଫ କରିଥିବା ସୂଚନା ରହିଛି। ପୁଲିସ୍ ସୂଚନା ଦେଇ କହିଛି ଯେ ପ୍ରଦେଶ ମହିଳାମାନଙ୍କୁ ସୋସିଆଲ୍ ମିଡିଆରେ ଟାର୍ଗେଟ କରିଥାଏ। ସେଠାରୁ ସେମାନଙ୍କ ନମ୍ବର ପାଇଗଲା ପରେ ବ୍ଲାକମେଲିଂ ଆରମ୍ଭ କରି ଦେଇଥାଏ।
ବ୍ୟକ୍ତି ଜଣକ ବିଶେଷ କରି ଗୃହିଣୀମାନଙ୍କୁ ଟାର୍ଗେଟ କରି ସେମାନଙ୍କ ପାରିବାରିକ ସମସ୍ୟା ଶୁଣି ସମବେଦନା ଦେବା ସହ ସେମାନଙ୍କ ନିକଟତର ହୁଏ। ତା’ପରେ ନିଜର ଜାଲରେ ଫସାଇବା ଆରମ୍ଭ କରିପକାଏ। ବ୍ୟକ୍ତି ଜଣକ ଭିନ୍ନ ଭିନ୍ନ ନକଲି ଆକାଉଣ୍ଟ ଖୋଲି ଏପରି କରିଥାଏ।