ଦେଖିଥିବା ସ୍ବପ୍ନକୁ ପୂରା କରିବା ପାଇଁ ପୁଲିସ ଗାଡ଼ି ଚୋରି କଲେ ଟ୍ରକ ଚାଳକ

ନୂଆଦିଲ୍ଲୀ: ବିଭିନ୍ନ ପ୍ରକାର ଲୋକଙ୍କ ଭିନ୍ନ ପ୍ରକାର ଇଚ୍ଛା ରହିଥାଏ। କାହାକୁ ତାଜ ହୋଟେଲରେ ଚା ପିଇବା ପସନ୍ଦ ତ ଆଉ କିଏ ପାହାଡରେ ବୁଲିବାକୁ ଭଲ ପାଆନ୍ତି। ନିକଟର ଜଣେ ବ୍ୟକ୍ତି ଏଭଳି ଅଦ୍ଭୁତ ଇଚ୍ଛା କରିଥିଲେ ଯେ ଯେଉଁଥିପାଇଁ ତାଙ୍କୁ ଜେଲର ଚାରିକାନ୍ଥ ଦେଖିବାକୁ ପଡ଼ିଛି।

ଗିରଫ ହୋଇଥିବା ବ୍ୟକ୍ତିଙ୍କ ଇଚ୍ଛା ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ବ୍ୟକ୍ତି ପୁଲିସ ଗାଡ଼ିରେ ବୁଲିବାକୁ ପସନ୍ଦ କରୁଥିଲେ। ଏଥିପାଇଁ ସେ ପୁଲିସ ଗାଡ଼ିକୁ ଚୋରାଇ ନେଇଥିଲେ।

ଏମିତି ଏକ ଆଶ୍ଚର୍ଯ୍ୟଜନକ ମାମଲା କର୍ଣ୍ଣାଟକରୁ ସାମ୍ନାକୁ ଆସିଛି। ପ୍ରକାଶିତ ରିପୋର୍ଟ ମୁତାବକ, କର୍ଣ୍ଣାଟକର ଧାରୱାଡ ଜିଲ୍ଲାର ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତି ପୁଲିସ ଥାନାରୁ ପୁଲିସ ଜିପ ଚୋରାଇ ନେଇଥିଲେ। ଏହା ପରେ ସେ ଉକ୍ତ ଜିପରେ ୧୧୨ କିଲୋମିଟର ଯାତ୍ରା କରିଥିଲେ। ଏହି ବ୍ୟକ୍ତିଙ୍କ ପରିଚୟ ନାଗାପ୍ପା ୱାଇ. ହଡପଡ଼ ବୋଲି ଜଣାପଡ଼ିଛି। ନାଗାପ୍ପା ଆନିଗେରି ଟାଉନର ବାସିନ୍ଦା । ସେ ଦୀର୍ଘ ବର୍ଷ ଧରି ଏକ କାର୍ ଚଳାଉଥିବା କାମ କରୁଥିଲେ।

ପୁଲିସ ହାତରେ ଧରାପଡ଼ିବା ପରେ ଉକ୍ତ ବ୍ୟକ୍ତି ଜଣକ କହିଥିଲେ ଯେ ସେ ବହୁ ବର୍ଷ ଧରି ପୁଲିସ ଜିପ୍ ଚଳାଇବାକୁ ଇଚ୍ଛା ରଖିଥିଲେ। ସେ ପୁଲିସ ଜିପ୍ ଚଳାଇବାର ସ୍ୱପ୍ନ ବି ଦେଖିଥିଲେ, ଆଉ ତାହାକୁ ପୂରା କରିବା ପାଇଁ  ଥାନାରୁ ଜିପ ଚୋରି କରିଥିଲେ। ଟ୍ରକ ଚାଳକ ଭାବରେ ସେ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାଇଛନ୍ତି ବୁଲିଛନ୍ତି। ଏହା ବ୍ୟତୀତ ସେ ପଡୋଶୀ ରାଜ୍ୟ ମଧ୍ୟ ଭ୍ରମଣ କରିଛନ୍ତି କିନ୍ତୁ ଆଜି ପର୍ଯ୍ୟନ୍ତ ସେ ପୁଲିସ ଜିପରେ ଯାତ୍ରା କରି ପାରି ନଥିଲେ।

ଯେତେବେଳେ ସେ ପୁଲିସ ଷ୍ଟେସନ ନିକଟ ଦେଇ ଯାଉଥିଲେ, ସେତେବେଳେ ସେ ପୁଲିସ ଷ୍ଟେସନରେ ପାର୍କିଂ ହୋଇଥିବା ଜିପ୍ ଦେଖୁଥିଲେ। ଏହି ଜିପ ଦେଖି ତାକୁ ଚଲାଇବାକୁ ତାଙ୍କର ବହୁତ ଇଚ୍ଛା ହେଉଥିଲା।

ଦିନେ ସେ ଦେଖିଲେ ଯେ ଡ୍ୟୁଟିରେ ଥିବା ଦୁଇ କନଷ୍ଟେବଳ ଶୋଇଥିବାବେଳେ ଇନ୍ସପେକ୍ଟର ଡ୍ୟୁଟି ପରେ ଘରକୁ ଚାଲି ଯାଇଛନ୍ତି। ଏତିକି ବେଳେ ଜିପରେ ଚାବି ବି ଲାଗିଥିଲା। ଏହି ସୁଯୋଗକୁ ହାତଛଡ଼ା ନକରି ପୁଲିସ ଷ୍ଟେସନରୁ ଜିପ୍ ବାହାର କରି ୧୧୨କିଲୋମିଟର ପର୍ଯ୍ୟନ୍ତ ଚଳାଇ ପଳାଇଥିଲେ। ଏହାପରେ ପୁଲିସ ଜିପକୁ ରାସ୍ତା ପାର୍ଶ୍ୱରେ ପାର୍କ କରି ଶୋଇ ପଡ଼ିଥିଲେ ।

ଏହି ସମୟରେ ସ୍ଥାନୀୟ ଲୋକମାନେ ରାସ୍ତାର ପାର୍ଶ୍ୱରେ ଅଟକି ରହିଥିବା ପୁଲିସ କାରକୁ ଦେଖିଥିଲେ । ଆ‌ଉ ସଙ୍ଗେ ସଙ୍ଗେ ପୁଲିସକୁ ଏହାର ସୂଚନା ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର