ପିନ୍ଧିଥିବା କଣ୍ଡୋମ୍‌ ଭିତରେ ହେରୋଇନ୍‌ ଚାଲାଣ କରୁଥିବା ବେଳେ ଚେନ୍ନାଇ ବିମାନ ବନ୍ଦରରେ ଧରାପଡ଼ିଲେ ଚାଲାଣକାରୀ

ଚନ୍ନାଇ: ଚେନ୍ନାଇ ଅର୍ନ୍ତଜାତୀୟ ବିମାନ ବନ୍ଦରରୁ ସୁରକ୍ଷା କର୍ମୀମାନେ ଜନୈକ ଚୋରା ନିଶାଦ୍ରବ୍ୟ ଚାଲାଣକାରୀଙ୍କୁ ଧରିବାରେ ସଫଳ ହୋଇଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ଜଣଙ୍କ ନିକଟରୁ ୧୦୦ ଗ୍ରାମ ଓଜନର ହେରୋଇନ୍‌ ଜବତ କରାଯାଇଛି।

ତେବେ, ଗିରଫ ହୋଇଥିବା ଏହି ଚୋରା ନିଶାଦ୍ରବ୍ୟ ଚାଲାଣକାରୀ ଜଣକ ଯେଉଁ ଉପାୟରେ ନିଷିଦ୍ଧ ମାଦକ ଦ୍ରବ୍ୟ ହେରୋଇନ୍‌ର ଚୋରାଚାଲଣ କରୁଥିଲେ, ତା’କୁ ଦେଖିବା ପରେ ଖୋଦ୍‌ ସୁରକ୍ଷା କର୍ମୀମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇ ପଡ଼ିଛନ୍ତି। କାରଣ, ସୁରକ୍ଷା କର୍ମୀମାନେ ସଂପୃକ୍ତ ବ୍ୟକ୍ତି ଜଣକ ପିନ୍ଧିଥିବା ଏକ କଣ୍ଡୋମ୍‌ ଭିତରୁ ଏହି ୧୦୦ ଗ୍ରାମ୍‌ ଓଜନର ହେରୋଇନ୍‌ ଜବତ କରିଛନ୍ତି।

ସରକାରୀ ଭାବେ ମିଳିଥିବା ସୂଚନାରୁ ପ୍ରକାଶ, କଲୋମ୍ବୋ ଅଭିମୁଖେ ଯିବା ପାଇଁ ସଂପୃକ୍ତ ବ୍ୟକ୍ତି ଜଣକ ଚେନ୍ନାଇ ଅନ୍ତର୍ଜତୀୟ ବିମାନ ବନ୍ଦରରେ ବିମାନକୁ ଅପେକ୍ଷା କରି ବସିଥିବା ବେଳେ ସେଠାରେ ସୁରକ୍ଷା ଦାୟିତ୍ୱରେ ମୁତୟନ ଥିବା ସିଆଇଏସ୍‌ଏଫ୍‌ ଜବାନ୍‌ମାନଙ୍କ ନଜରରେ ପଡ଼ିଥିଲେ। କାରଣ, ତାଙ୍କର ମୂତ୍ରାଶୟ ଅଞ୍ଚଳଟି ଅହେତୁକ ଭାବେ ବଡ଼ ଦେଖା ଯାଉଥିଲା। ଏଥିରେ ସନ୍ଦେହ କରି ସିଆଇଏସ୍‌ଏଫ୍‌ ସୁରକ୍ଷା କର୍ମୀମାନେ ଯେତେବେଳେ ତାଙ୍କର ତଲାସୀ ନେଲେ, ସେତେବେଳେ ସେମାନେ ମଧ୍ୟ ଆଶ୍ଚର୍ଯ୍ୟଚକିତ ହୋଇପଡ଼ିଲେ। କାରଣ, ସଂପୃକ୍ତ ବ୍ୟକ୍ତି ଜଣକ ଗୋଟିଏ କଣ୍ଡୋମ୍‌ ଭିତରେ ୧୦୦ ଗ୍ରାମ୍‌ ଓଜନର ହେରୋଇନ୍‌ ଭର୍ତ୍ତିକରି ତାକୁ ପରିଧାନ କରିବା ସହ ରବର ବ୍ୟାଣ୍ଡ୍‌ଗୁଡ଼ାଇ ଦେଇଥିଲେ, ଯେପରିକି କଣ୍ଡୋମ୍‌ଟି ଖସି ନପଡ଼େ।

ସୁରକ୍ଷା କର୍ମୀମାନେ ହେରୋଇନ୍‌ ଜବତ କରିବା ପରେ ସଂପୃକ୍ତ ବ୍ୟକ୍ତିକୁ ଗିରଫ କରି କଷ୍ଟମ୍‌ସ୍‌ ବିଭାଗକୁ ହସ୍ତାନ୍ତର କରିଛନ୍ତି। ଗିରଫ ହୋଇଥିବା ବ୍ୟକ୍ତି ଜଣକ ଚେନ୍ନାଇର ଏକ ଇଞ୍ଜିନିୟରିଂ କଲେଜରେ ଷ୍ଟୋର୍‌କିପର ଭାବେ କାମ କରୁଥିବା ତଦନ୍ତ କାଳରେ ଜଣାପଡ଼ିଛି।

ସମ୍ବନ୍ଧିତ ଖବର