ବେପାରୀ ଗିରଫ, ଚକଲେଟ୍ ଜରି ଜବତ
ଭୁବନେଶ୍ୱର/କଟକ : ଅନ୍ତଃବସ୍ତ୍ରରୁ ପୁଣି ମିଳିଲା ବ୍ରାଉନ୍ସୁଗାର ବା କୋଡ୍ ଓ୍ଵାଡ୍ରେ କୁହାଯାଉଥିବା ‘କ୍ୱାଟର୍’। ଆଜି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଜଣେ ବ୍ରାଉନ୍ସୁଗାର ବେପାରୀଙ୍କ ଅନ୍ତଃବସ୍ତ୍ରରୁ ୪୬ ଗ୍ରାମ ଓଜନର ବ୍ରାଉନ୍ସୁଗାର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ମୋଟ ୪ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି । ଜବତ ବ୍ରାଉନ୍ସୁଗାର ଅନ୍ତଃବସ୍ତ୍ର ଭିତରେ ଚକ୍ଲେଟ୍ ଜରିରେ ପୁଡ଼ିଆ ହୋଇ ରଖାଯାଇଥିଲା । ଭୁବନେଶ୍ୱର ରେଳ ଷ୍ଟେସନ୍ରେ ଚଢ଼ଉ କରି ଅଭିଯୁକ୍ତ ବେପାରୀ ମଧୁ ଓରଫ ଦିଲ୍ଲୀପ ବେହେରା(୨୦)କୁ ଗିରଫ କରିବା ପରେ ଏଭଳି କାରବାର ଘଟଣା ସାମ୍ନାକୁ ଆସିଥିଲା। ମଧୁ ନିକଟରୁ ମୋବାଇଲ୍ ଫୋନ୍ ଏବଂ ଟ୍ରେନ୍ ଟିକେଟ୍ ଜବତ କରାଯାଇଥିଲା । ସେ ପଶ୍ଚିମବଙ୍ଗ ମେଦିନୀପୁର ଜିଲ୍ଲା ତମ୍ଲୁକ ଅଞ୍ଚଳର ହୋଇଥିବା ବେଳେ ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ଅଞ୍ଚଳରେ ରହୁଥିବା ସୂଚନା ମିଳିଛି ।
୨୦୧୭ ଅଗଷ୍ଟ ୨୦ ତାରିଖରେ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ହାତରେ ଦୁଇ ବ୍ରାଉନ୍ସୁଗାର ବେପାରୀ ଖୋର୍ଧା ଟାଉନ୍ ଅଞ୍ଚଳର ଶେକ୍ ତଲିମ୍, ସାମନ୍ତରାପୁରର ମହେନ୍ଦ୍ର ବେହେରା ଏବଂ ଏଜେଣ୍ଟ ବାଲେଶ୍ୱରର ଝାଡ଼େଶ୍ୱରପୁର ଅଞ୍ଚଳର ସେକ୍ ସନିଆ ଗିରଫ ହୋଇଥିଲେ। ସେହି ୩ ଅଭିଯୁକ୍ତଙ୍କ ନିକଟରୁ ମୋଟ ୧୬ ଲକ୍ଷ ଟଙ୍କାର ୧୬୦ ଗ୍ରାମ୍ ବ୍ରାଉନ୍ସୁଗାର ଜବତ ହୋଇଥିଲା। ସେହି ଧରଣର ବ୍ରାଉନ୍ସୁଗାର କାରବାର ପୁଣି ଆଜି ଭୁବନେଶ୍ୱର ରେଳ ଷ୍ଟେସନ୍ରେ ହେବା ସମ୍ପର୍କରେ କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ଖବର ପାଇଥିଲା । ସେହି ଆଧାରରେ ଆଜି ଭୋର ପ୍ରାୟ ୫ଟା ବେଳେ ଏକ ଟିମ୍ ଷ୍ଟେସନ୍ରେ ଛକି ରହିଥିଲା। ମଧୁ ଜଗନ୍ନାଥ ଏକ୍ସପ୍ରେସ୍ରେ ଜଳେଶ୍ୱରରୁ ଆସି ଭୁବନେଶ୍ୱର ଷ୍ଟେସନ୍ରେ ଓହ୍ଲାଇବା ପରେ ୬ ନମ୍ବର ପ୍ଲାଟ୍ଫର୍ମ ନିକଟରେ ଅବକାରୀ ବିଭାଗ ହାତରେ ଧରାପଡ଼ିଥିଲା । ଯାଞ୍ଚ ବେଳେ ତା’ ଅନ୍ତଃବସ୍ତ୍ରରୁ ୩୬୦ଟି ଚକ୍ଲେଟ୍ ପୁଡ଼ିଆ ଜବତ କରାଯାଇଥିଲା। ସେଥିରେ ବ୍ରାଉନ୍ସୁଗାର ରଖାଯାଇଥିଲା । ତାକୁ ଜେରା ପରେ ସେ ଜଳେଶ୍ୱର ଅଞ୍ଚଳରୁ ଆଜାଦ ନାମକ ଜଣେ ବ୍ରାଉନ୍ସୁଗାର ବେପାରୀ ନିକଟରୁ ଆଣିଥିବାବେଳେ ହଳଦୀପଡ଼ିଆରେ ସଂଜୟ ନାମକ ଜଣେ ଖୁଚୁରା ଦୋକାନୀକୁ ବିକ୍ରି କରିବା ସମ୍ପର୍କରେ କହିଥିଲା । ସେ ଗତ ୨ ବର୍ଷ ହେବ ସେ ବ୍ରାଉନ୍ସୁଗାର ବେପାର କରୁଥିବା ସ୍ୱୀକାର କରିଥିଲା। ପୁଲିସ କିମ୍ବା ଅବକାରୀ ବିଭାଗର ନଜର ହଟାଇବାକୁ ମଧୁ ଚକଲେଟ୍ ପୁଡ଼ିଆ ଭିତରେ ବ୍ରାଉନ୍ସୁଗାର ଭର୍ତ୍ତି କରି ଖୁଚୁରା ଦୋକାନରେ ବିକ୍ରି କରୁଥିଲା । ପ୍ରତି ପୁଡ଼ିଆ ପିଛା ୩୦୦ ଟଙ୍କାର ବିକ୍ରି ହେଉଥିଲା ।
ପୂର୍ବରୁ ବ୍ରାଉନ୍ସୁଗାର ପାଇଁ ଓଡ଼ିଶାରେ କୋର୍ଡ ଓ୍ଵାର୍ଡ ‘ପୁଡ଼ିଆ’, ‘ପାଉ’ ଏବଂ ‘ଗାରେଗାରେ’ ନାମରେ ବ୍ୟବହାର କରାଯାଉଥିବା ବେଳେ ଏବେ କୋଡ୍ ବଦଳିଯାଇଛି। ‘କ୍ୱାଟର୍’ ନାମରେ ବ୍ରାଉନ୍ସୁଗାର ବେପାରୀ ଏବଂ ଗ୍ରାହକଙ୍କ ମଧ୍ୟରେ ଚାଲୁଥିବା ମଧୁ ସୂଚନା ଦେଇଛି । ଏବେ ଅବକାରୀ ବିଭାଗର ଉଭୟ ଆଜାଦ ଏବଂ ସଂଜୟକୁ ଗିରଫ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା କୁହାଯାଉଛି ।
ଅବକାରୀ କମିସନର ଦେବେନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକାରୀ ଅମରେନ୍ଦ୍ର ଜେନାଙ୍କ ନେତୃତ୍ୱରେ ବୈଜୟନ୍ତୀ ପଣ୍ଡା, ଜଗଦୀଶ ଚନ୍ଦ୍ର ସାମଲ, ଗାଲୁରାମ ସୋରେନ୍, ନିରଞ୍ଜନ ବେହେରା, ବିଶ୍ୱଜିତ ନାୟକ, କିଶୋର ରାଉତ, ରାଜକିଶୋର ନାୟକ, ଆଲୋକ ଖଟୁଆ, ରାମଚନ୍ଦ୍ର ଜେନା, ଥବିର ପଟ୍ଟନାୟକ, ରାଜେଶ କିଶାନ ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ ।