ନୂଆଦିଲ୍ଲୀ: ବାରମ୍ବାର ପେଟ ଯନ୍ତ୍ରଣାରେ କଷ୍ଟ ପାଉଥିବା ଜଣେ ବ୍ୟକ୍ତି ଗତବୁଧବାର ନିଜେ ନିଜର ଅସ୍ତ୍ରୋପଚାର କରିଥିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି।
ସୂଚନାଯୋଗ୍ୟ, ସୁନରାଖ ଗ୍ରାମ ନିବାସୀ କନହୈୟାଙ୍କ ୩୨ ବର୍ଷୀୟ ପୁଅ ରାଜାବାବୁ ପେଟ ଯନ୍ତ୍ରଣାରେ ପୀଡିତ ଥିଲେ। ପେଟ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ରାଜାବାବୁ ପ୍ରାୟତଃ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଭିଡିଓ ଦେଖି ଥାଆନ୍ତି।
ଗତବୁଧବାର ଅପରାହ୍ନରେ ରାଜାବାବୁ ଘରର ଏକ କୋଠରୀରେ ନିଜକୁ ବନ୍ଦ କରି ଦେଇଥିଲେ। ଏହାପରେ ଇଣ୍ଟରନେଟରୁ ପେଟ ଅସ୍ତ୍ରୋପଚାର ଭିଡିଓ ଦେଖି ଘରେ ନିଜେ ନିଜ ପେଟର ଅସ୍ତ୍ରୋପଚାର କରିବାକୁ ଚେଷ୍ଟା କରିଥିଲେ। ଅସ୍ତ୍ରୋପଚାର ପୂର୍ବରୁ ସେ ପେଟରେ ଏକ ନିସ୍ତେଜ ଇଞ୍ଜେକ୍ସନ ଦେଇଥିଲେ। ଏହାପରେ ସେ ଡାହାଣ ପାର୍ଶ୍ୱ ତଳିପେଟକୁ ସାତ ଇଞ୍ଚ ପର୍ଯ୍ୟନ୍ତ କାଟି ଦେଇଥିଲେ।ଅସ୍ତ୍ରୋପଚାର ପାଇଁ ସେ ମଥୁରାର ବଜାରରୁ ସର୍ଜିକାଲ ବ୍ଲେଡ୍, ସିଲାଇ ସାମଗ୍ରୀ, ଇଞ୍ଜେକ୍ସନ ଇତ୍ୟାଦି କିଣି ଆଣିଥିଲେ।
ସର୍ଜିକାଲ ବ୍ଲେଡ୍ ଗଭୀର ଭାବେ କଟିଯିବାରୁ ରାଜାବାବୁଙ୍କ ପେଟର ଯନ୍ତ୍ରଣା ବଢ଼ିବା ସହିତ ଅଜସ୍ର ରକ୍ତସ୍ରାବ ହୋଇଥିଲେ। ତଥାପି ରାଜାବାବୁ ଭୟ ନକରି ନିଜର ପେଟର ସିଲେଇ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ପେଟ ଯନ୍ତ୍ରଣା ଆହୁରି ବଢ଼ି ଯାଇଥିଲା। ରକ୍ତସ୍ରାବ ବନ୍ଦ ହୋଇ ନଥିଲା।
ତେଣୁ ରାଜାବାବୁ ବାଧ୍ୟ ହୋଇ ନିଜ କୋଠରିରୁ ବାହାରି ଘଟଣା ବିଷୟରେ ପରିବାରଲୋକଙ୍କୁ ଜଣାଇଥିଲେ। ରାଜାବାବୁଙ୍କ ଅବସ୍ଥା ଦେଖି ପରିବାରସଦସ୍ୟମାନେ ଚିନ୍ତିତ ହୋଇ ପଡ଼ିଥିଲେ। ତୁରନ୍ତ ସେମାନେ ପୁଅ ରାଜାବାବୁଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଜିଲ୍ଲା ଡାକ୍ତରଖାନାକୁ ନେଇ ଯାଇଥିଲେ।
ସେଠାରେ ଥିବା ଡାକ୍ତରମାନେ ତାଙ୍କର ଅବସ୍ଥା ଦେଖି ସମ୍ପୂର୍ଣ୍ଣ ଘଟଣା ବୁଝିବା ପରେ ପ୍ରାଥମିକ ଚିକିତ୍ସା ଆରମ୍ଭ କରିଥିଲେ। ଏହାପରେ ଉନ୍ନତ ଚିକିତ୍ସା ପାଇଁ ରାଜାବାବୁଙ୍କୁ ଆଗ୍ରା ଏସଏନ ମେଡିକାଲ କଲେଜକୁ ରେଫର କରି ଦେଇଥିଲେ। ସେଠାରେ ଡାକ୍ତର ତାଙ୍କର ଚିକିତ୍ସା ଜାରି ରଖିଛନ୍ତି।