୧୮୮ଜଣ ଶିଶୁଙ୍କ ପ୍ରତିପୋଷଣ କରିବାର ବାହାନା ଦେଖାଇ ସରକାରଙ୍କ ଠାରୁ ୧୯କୋଟି ଟଙ୍କା ଠକି ନେଇଥିଲା ଏହି ବ୍ୟକ୍ତି!

ନୂଆଦିଲ୍ଲୀ: ଆଜି ଆମେ ଆପଣଙ୍କୁ ଏମିତି ଜଣେ ଠକ ବ୍ୟକ୍ତି ବିଷୟରେ କହିବାକୁ ଯାଉଛୁ ଯିଏ ସରକାରଙ୍କୁ ବି ନିଜ ଠକେଇର ଶିକାର କରିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଯେ ଏହି ବ୍ୟକ୍ତି ୧୮୮ ଟି ନକଲି ପିଲା ଜନ୍ମ କରି ସେମାନଙ୍କ ନାମରେ ସରକାରଙ୍କୁ ୧୯ କୋଟି ଟଙ୍କା ଠକିଛି। ଏହି ବ୍ୟକ୍ତି ଜଣକ ବ୍ରିଟେନରେ ବସବାସ କରୁଥିବା ଜଣାପଡ଼ିଛି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଅଲି ବାନା ମହମ୍ମଦ ନାମକ ୪୦ବର୍ଷ ବୟସ୍କ ବ୍ୟକ୍ତି  ସରକାରଙ୍କ ସହିତ ଏପରି ଭାବେ ବିଶ୍ୱାସଘାତକତା କରିଛି ଯେ ଏହାକୁ କେହି ବିଶ୍ୱାସ କରିପାରିବେ ନାହିଁ।

ବ୍ରିଟେନରେ ପିଲାମାନଙ୍କ ପ୍ରତିପୋଷଣ ପାଇଁ ସରକାର ଦେୟ ଦିଅନ୍ତି । ଏହି ବ୍ୟକ୍ତି ଏହାର ଫାଇଦା ଉଠାଇ ୧୮୮ଜଣ ନକଲି ପିଲାଙ୍କ ପ୍ରତିପୋଷଣ ପାଇଁ ଦେଶ ସରକାରଙ୍କ ଠାରୁ ୧୯ କୋଟି ଟଙ୍କା ଠକି ନେଇଥିଲା।

ରିପୋର୍ଟ ଅନୁଯାୟୀ, ଏହି ଠକେଇ ପାଇଁ ଅଲି ବାନା ମହମ୍ମଦ ନିଜ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସାହାଯ୍ୟ ନେଇଥିଲା। ତେବେ ଉକ୍ତ ବ୍ୟକ୍ତିର ଗୋଟିଏ ବି ସନ୍ତାନ ନଥିବା ବେଳେ ୧୮୮ଜଣ ନକଲି ପିଲାଙ୍କ ତଥ୍ୟକୁ ଏକ ଡାଏରୀରେ ସେ ଲେଖିଥିଲା। ଚାଇଲ୍ଡ ବେନିଫିଟ ଓ ଟାକ୍ସ କ୍ରେଡିଟ ପେମେଣ୍ଟ ସେ ପର୍ଯ୍ୟନ୍ତ ନେଇ ଥିଲା ଅଲି  ଯେପର୍ଯ୍ୟନ୍ତ ଏଚଏମ ରେଭିନ୍ୟୁ ଓ କଷ୍ଟମ ଇନଭେଷ୍ଟିଗେଟର୍ସଙ୍କୁ କୌଣସି ପ୍ରକାର ତ୍ରୁଟି ନେଇ ସନ୍ଦେହ ହୋଇ ନଥିଲା।

ବାସ୍ତବରେ, ଦୁଇଟି ନମ୍ବରରୁ ‌‌‌‌‌‌‌‌କ୍ଲେମ ପାଇଁ ଅନେକ ଥର କଲ କରାଯାଇଥିଲା। ଏଥିରେ ସଂଖ୍ୟା ସମାନ ଥିଲା, କିନ୍ତୁ ପିଲାଙ୍କ ପରିଚୟ ଅଲଗା ରହିଥିଲା। ଏହାକୁ ନେଇ ଡିପାର୍ଟମେଣ୍ଟ ଅଫ ୱାର୍କ ଆଣ୍ଡ ପେନସନଙ୍କୁ ସନ୍ଦେହ ହୋଇଥିଲା। ଏହାପରେ ସେ ଏକ ଅପରେସନ ଚଲାଇ ପୂରା ରା‌କେଟ ଉପରୁ ପରଦା ଉଠାଇଥିଲେ।

ଯେତେବେଳେ ଏହି ମାମଲା କୋର୍ଟରେ ପହଞ୍ଚିଲା, ଜଣାପଡ଼ିଥିଲା ଯେ ଅଲି ୭୦ ଟି ଅଲଗା ଅଲଗା ନାମରେ ମୋଟ ୧୮୮ ଜଣ ନକଲି ପିଲାଙ୍କ ପାଇଁ ଚାଇଲ୍ଡ ବେନିଫିଟ ନେଇଥିଲା। ଏଥିସହିତ ସେ ଅନ୍ୟ ଲୋକଙ୍କ ପରିଚୟ ଚୋରି କରି କିମ୍ବା ତାର ସମ୍ପର୍କୀୟଙ୍କ ପରିଚୟ ବ୍ୟବହାର କରି ଏହି ଠକେଇ କାମ କରୁଥିଲା। ଏହି ଠକେଇ ଘଟଣାରେ ଜଡିତ ୬ ଜଣଙ୍କୁ କୋର୍ଟ ୧୩ ବର୍ଷ ଦଣ୍ଡିତ କରିଛି। ଏହାର ମାଷ୍ଟରମାଇଣ୍ଡ ଅଲିକୁ ମଧ୍ୟ ଜେଲ ହୋଇଯାଇଛି।

ସମ୍ବନ୍ଧିତ ଖବର