ପ୍ରେମିକାକୁ ହତ୍ୟା କରିଥିବା ନେଇ ସ୍ବୀକାର କରିବା ପରେ ଲାଇଭ୍ ଟିଭି ସୋ’ରୁ ଅଭିଯୁକ୍ତକୁ ଗିରଫ କଲା ପୁଲିସ

ଚଣ୍ଡିଗଡ଼: ଲାଇଭ୍ ଟିଭି ସୋ’ରୁ ହତ୍ୟାକାରୀକୁ ଗିରଫ କରିଛି ଚଣ୍ଡିଗଡ଼ ପୁଲିସ। ନୂଆ ବର୍ଷ ପୂର୍ବ ଦିନ ନିଜ ପ୍ରେମିକାକୁ ହତ୍ୟା କରି ଫେରାର ଥିବା ଅଭିଯୁକ୍ତ ଘରୋଇ ଟିଭି ଚାନେଲ୍  ଅଫିସରେ ପହଞ୍ଚି ଲାଇଭ୍ ସୋ’ରେ ନିଜର ଅପରାଧକୁ ସ୍ବୀକାର କରିଥିଲା। ଟିଭି ଚାନେଲ୍ ଅଫିସଠାରୁ ୩କିଲୋମିଟର ଦୂରରେ ଥିବା ପୁଲିସ ଷ୍ଟେସନର ଅଧିକାରୀମାନେ ତୁରନ୍ତ ସେଠାରେ ପହଞ୍ଚି ହତ୍ୟାକାରୀକୁ ଗିରଫ କରିଥିବା ଜଣାପଡ଼ିଛି। ଅଭିଯୁକ୍ତର ନାଁ ମନିନ୍ଦର ସିଂହ । ପୁଲିସ ତାକୁ ଲାଇଭ୍ ସୋ’ରୁ ଉଠାଇ ନେଇ ଜେଲରେ ଭର୍ତ୍ତି କରିଛି ଚଣ୍ଡିଗଡ଼ ପୁଲିସ।

Man Confesses To Killing 2 Women On Live TV, Arrested Mid-Show: Police
ndtv.com

ପୁଲିସର କହିବାନୁସାରେ, ୨୦୧୦ରେ କର୍ଣ୍ଣାଲରେ ରେଣୁ ନାମକ ଜଣେ ମହିଳାଙ୍କୁ ମନିନ୍ଦର ହତ୍ୟା କରିଥିଲା। ଯାହା ପାଇଁ ତାଙ୍କୁ ଜେଲ ଦଣ୍ଡ ମିଳିଥିବା ବେଳେ ପରେ ଜାମିନରେ ବାହାରକୁ ଆସିଥିଲା ମନିନ୍ଦର। ଏହି ସମୟରେ ସେ ସରବଜିତ୍ କୌର୍ ନାମକ ଜଣେ ମହିଳାଙ୍କ ପ୍ରେମରେ ପଡ଼ିବା ସହ ବିବାହ ପାଇଁ ସ୍ଥିର କରିଥିଲା। ହେଲେ ଦୁହିଁଙ୍କ ଜାତି ଅଲଗା ହୋଇଥିବାରୁ ସରବଜିତଙ୍କ ପରିବାର ଲୋକେ ବିବାହ ପାଇଁ ମନା କରି ଦେଇଥ‌ଲେ। ୬ମାସ ଧରି ଏ ନେଇ ଦୁଇ ପରିବାର ମଧ୍ୟରେ ଅସନ୍ତୋଷ ଲାଗି ରହିବା ପରେ ସରବଜିତ୍ ନିଜ ଭାଉଜଙ୍କ ଭାଇ ସହ ସଂପର୍କ ରଖିଥିବା ଜାଣିବାକୁ ପାଇଥିଲା ମନିନ୍ଦର। ଧୋକା ଖାଇ ମନିନ୍ଦର ଡିସେମ୍ବର ୩୧ରେ ସରବଜିତଙ୍କୁ ଚଣ୍ଡିଗଡ଼ର ଏକ ହୋଟେଲକୁ ନେଇ ହତ୍ୟା କରିଥିଲା। ଜାନୁଆରି ୧ତାରିଖ ସଂନ୍ଧ୍ୟା ସମୟରେ ସରବଜିତଙ୍କ ମୃତଦେହ ମିଳିବା ପରେ ପୁଲିସ ସିସିଟିଭି ଯାଞ୍ଚ କରି ମନିନ୍ଦରକୁ ଖୋଜିବା ଆରମ୍ଭ କରିଥିଲା। କିଛି ଦିନ ଫେରାର ରହିବା ପରେ ମଙ୍ଗଳବାର ମନିନ୍ଦର ଚାନେଲ୍ ଅଫିସରେ ପହଞ୍ଚି ଲାଇଭ୍ ସୋ’ରେ ନିଜର ଅପରାଧକୁ ସ୍ବୀକାର କରିଥିଲା।

ସମ୍ବନ୍ଧିତ ଖବର