ବିବାହର କିଛି ଦିନ ପୂର୍ବରୁ ଗିରଫ ହେଲା ବର, ଚୋରି କରିବାର କାରଣ ଜାଣି ଆଶ୍ଚର୍ଯ୍ୟ ହୋଇଗଲା ପୁଲିସ
ନୂଆଦିଲ୍ଲୀ: କିଛି ଲୋକ ବିବାହ କରିବା ପାଇଁ ଦିନ ଗଣିଥାନ୍ତି ତ କିଛି ବିବାହ ନାଁ ଶୁଣି ଡ଼ରିଥାନ୍ତି। ବିବାହ ପରେ ଅନେକ ଦାୟିତ୍ବ ଆସିଯିବା ସହ କୌଣସି ଜିନିଷ କରିବାର ସ୍ବାଧୀନତା ରହିବନି ବୋଲି ଭାବି ଅନେକ ବିବାହ କରିବାକୁ ଡ଼ରିଥାନ୍ତି। କିନ୍ତୁ ବିବାହ କରିବା ଡ଼ରରେ ଚୀନର ଜଣେ ଯୁବକ କରିଥିବା କାମ ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ବିବାହ ନ କରିବା ପାଇଁ ପ୍ରେମିକାକୁ ସିଧାସଳଖ ଭାବେ ମନା ନ କରି ଯୁବକଜଣଙ୍କ ଚୋରିର ବାଟ ଆପଣାଇବାର ବୁଦ୍ଧି ପୁଲିସକୁ ସ୍ତବ୍ଧ କରିଦେଇଛି। ଚୋର ବୋଲି ଜାଣିଲେ ପ୍ରେମିକା ବିବାହ କରିବାକୁ ମନା କରିଦେବ ବୋଲି ଭାବି ଯୁବକଜଣଙ୍କ ଏକ ଡ୍ୟାନ୍ସ ଷ୍ଟୁଡିଓ ଆଗରେ ଝଗଡ଼ା କରିବା ସହ ଏକ ବ୍ଲୁଟୁଥ୍ ସ୍ପିକର ଚୋରି କରିଥିଲେ। ଏବେ ଚୋରି ଅଭିଯୋଗରେ ଯୁବକଙ୍କୁ ପୁଲିସ ଗିରଫ କରିଥିବା ବେଳେ ଦୁହିଁଙ୍କ ବିବାହ ଏବେ ହେବ କି ନାହିଁ, ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ଅଭିଯୁକ୍ତର ନାଁ ଚେନ୍ ବୋଲି ଚିହ୍ନଟ କରାଯାଇଥିବା ବେଳେ ଗିରଫ ହେବା ପରେ ପୁଲିସକୁ ଚୋରି ପଛର ପ୍ରକୃତ କାରଣ ଜଣାଇଥିଲେ ଚେନ୍। ତାଙ୍କ କହିବା ମୁତାବକ, ‘ମୁଁ ଜଣେ ମହିଳାଙ୍କ ସହ ପ୍ରେମ ସଂପର୍କରେ ଥିବା ବେଳେ ସେ ବିବାହ ପାଇଁ ମୋତେ ବାଧ୍ୟ କରୁଥିଲେ। ହେଲେ ମୁଁ କେବେ ହେଲେ ବି ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହୁ ନ ଥିଲି। ଅନେକ କହିବା ପରେ ମୁଁ ବିବାହ ପାଇଁ ରାଜି ହୋଇଥିଲେ ମଧ୍ୟ ବିବାହର କିଛି ଦିନ ପୂର୍ବରୁ ମୋ ମନରେ ଡ଼ର ଆସିବା ଆରମ୍ଭ ହୋଇଥିଲା। ସିଧାସଳଖ କହିଲେ ପ୍ରେମିକାର ମନ ଦୁଃଖ ହେବ ବୋଲି ଭାବି ମୁଁ ଚୋରି କରିବାକୁ ମନସ୍ଥ କରିଥିଲି। ଚୋର ବୋଲି ଜାଣି ସେ ନିଜ ଆଡ଼ୁ ବିବାହ ଭାଙ୍ଗିଦେବ ବୋଲି ଭାବି ମୁଁ ଏଭଳି କରିଥିଲି।’