ପ୍ରେମ ବିବାହ କରିବା ମହଙ୍ଗା ପଡ଼ିଲା: ଝିଅ ଘର ଲୋକ ଯୁବକଙ୍କ ବେକରେ ବେଲଟ ବାନ୍ଧି କୁକୁର ଭଳି ଭୁକାଇଲେ

ନୂଆଦିଲ୍ଲୀ: ଗାଜିଆବାଦର ମସୁରୀ ଥାନା ଅଞ୍ଚଳରେ ଏକ ଅମାନବୀୟ ଘଟଣା ଘଟିଥିବାର ଭିଡ଼ିଓ ସାମ୍ନାକୁ ଆସିଛି। କୋର୍ଟ ମ୍ୟାରେଜକୁ ନେଇ ଅସନ୍ତୁଷ୍ଟ ପରିବାରଲୋକ ଝିଅର ପ୍ରେମିକକୁ ନିସ୍ତୁକମାଡ଼ ମାରିବା ସହିତ କୁକୁର ଭଳି ଭୁକିବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

ଗାଜିଆବାଦର ପୁଲିସର ସୂଚନା ମୁତାବକ, ପୀଡ଼ିତ ରୁବେଦ (ଛଦ୍ମନାମ) ସ୍ମିତା (ଛଦ୍ମନାମ)ଙ୍କୁ ପ୍ରେମ ବିବାହ କରିଥିଲେ। ୨୦୧୮ ମସିହା ଫେବୃଆରି ୧୨ ତାରିଖରେ ରୁବେଦ ଓ ସ୍ମିତା ପରସ୍ପର ସହ କୋର୍ଟରେ ରେଜିଷ୍ଟ୍ରି ମ୍ୟାରେଜ କରିଥିଲେ। ସ୍ମିତାଙ୍କ ପରିବାରଲୋକ କିନ୍ତୁ ଝିଅର ଏଭଳି ପଦକ୍ଷେପରେ ଆଦୌ ସନ୍ତୁଷ୍ଟ ନଥିଲେ। ବିବାହର ଏକ ବର୍ଷ ପରେ ଅର୍ଥାତ ୨୦୧୯ ମସିହା ୧୬ ତାରିଖରେ ଝିଅର ପରିବାର ଲୋକେ ରୁବେଦଙ୍କୁୁ ଜବରଦସ୍ତ ଉଠାଇ ନେବା ସହିତ ତାଙ୍କ ଝିଅ ସହ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ଆଣିଥିଲେ। କେବଳ ଏତିକି ନୁହେଁ, ରୁବେଦ ଗଳାରେ ବେଲଟ ବାନ୍ଧି ତାଙ୍କୁ କୁକୁର ଭଳି ଭୁକିବାକୁ ବାଧ୍ୟ କରିଥିଲେ ଝିଅ ଘରଲୋକ ।

ଯୁବକ ଯେତେବେଳେ ଏହି ଘଟଣା ନେଇ ଥାନାରେ ପହଞ୍ଚିଥିଲେ, ତାଙ୍କ ନାମରେ ପୂର୍ବରୁ ଦୁଷ୍କର୍ମ ଅଭିଯୋଗ ଥିବା ଜାଣିବାକୁ ପାଇଥିଲେ। ପୁଲିସ ରୁବେଦଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରି ନେଇଥିଲା। ଜାମିନ୍‌ରେ ଆସିବା ପରେ ରୁବେଦଙ୍କୁ ଯେଉଁମାନେ ନିସ୍ତୁକମାଡ଼ ମାରିଥିଲେ ସେମାନଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିଲା।

 

୯ମାସ ତଳେ ଘଟିଥିବା ଏହି ଘଟଣା ଏବେ ହ୍ଵାଟସ୍‌ ଆପ୍‌ ଓ ସୋସିଆଲ ମିଡିଆ ତଥା ଅନ୍ୟ ପ୍ଲାଟଫର୍ମରେ ଭାଇରାଲ ହୋଇଛି। ପୁଲିସ ଏହି ଭିଡିଓକୁ ଆଧାର କରିି ଅଭିଯୁକ୍ତଙ୍କ ପରିଚୟ ଜାଣିବାକୁ ଯାଞ୍ଚ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର