ଗାନ୍ଧିନଗର: ଗୁଜୁରାଟର ପାଲିତାନା ଜିଲ୍ଲାରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ହତ୍ୟା କରିବା ପରେ ସ୍କୁଟରରେ ଧରି ବୁଲିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାମ ୩୪ ବର୍ଷୀୟ ଅମିତ ହେମନାନି ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ପାଲିତାନା ଜିଲ୍ଲାର ସିନ୍ଧି କ୍ୟାମ୍ପ କଲୋନିରେ ଅମିତ ହେମନାନି ବସବାସ କରନ୍ତି। ଗତ ରବିବାର ଅମିତ ଓ ତାଙ୍କ ପତ୍ନୀ ନୈନାଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଅମିତ ନୈନାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ହତ୍ୟା କରିବା ପରେ ଅମିତ ରୋହିଶାଳା ଜଙ୍ଗଲ ଅଞ୍ଚଳରେ ନୈନାଙ୍କ ମୃତଦେହକୁ ପୋତିବା ପାଇଁ ସ୍କୁଟର ସାମ୍ନାରେ ରଖି ଯାଉଥିବା ବେଳେ କିଛି ଲୋକ ସନ୍ଦେହ କରିଥିଲେ।
ଏହାପରେ ସ୍ଥାନୀୟଲୋକ ଅମିତଙ୍କ ସ୍କୁଟରକୁ ବାଟରେ ଅଟକାଇଥିଲେ । ସ୍କୁଟର ସାମ୍ନାରେ ମୃତଦେହ ଥିବା ଦେଖି କିଛିଲୋକ ଭୟଭୀତ ହୋଇ ଯାଇଥିବା ବେଳେ ଆଉ କେତେ ଜଣ ଏସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ଅମିତଙ୍କୁ ଗିରଫ କରି ହାଜତକୁ ପଠାଇ ଦେଇଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଅମିତ କାହିଁକି ଏପରି ଭାବେ ନିଜ ପତ୍ନୀଙ୍କୁ ହତ୍ୟା କରିଥିଲେ ତାହାର ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ପୁଲିସ ଏହି ହତ୍ୟା ଘଟଣାର ତଦନ୍ତ ଜାରି ରଖିଛି।