ନାବାଳିକା ପ୍ରେମିକା ସହିତ ୨୩ ଦିନ ଧରି ଜଙ୍ଗଲି ଫଳମୂଳ ଖାଇ ଗୁମ୍ଫାରେ ରହିଥିବା ଅଭିଯୁକ୍ତ ଗିରଫ

ଥିରୁଅନନ୍ତପୁରମ: ଚଳିତ ମାସ ୬ ତାରିଖ ଦିନ କେରଳର ଇଡୁକ୍କୁ ଜିଲା କୁମିଲୀ ପଞ୍ଚାୟତର ଜଣେ ୧୭ ବର୍ଷୀ ନାବାଳିକା ହଠାତ ନିଖୋଜ ହୋଇଗଲେ। ଏ ନେଇ ନିଖୋଜ ନାବାଳିକାଙ୍କ ପରିବାର ପୁଲିସରେ ଅଭିଯୋଗ କରିବା ସହିତ କେରଳ ହାଇକୋର୍ଟରେ ହବସ୍‌ କର୍ପସ ଦାଖଲ କଲେ। ଶେଷର ଘଟଣାର ୨୩ ଦିନ ପରେ ଘଞ୍ଚ ଜଙ୍ଗଲ ଭିତରୁ ସମ୍ପକ୍ତ ନାବାଳିକା ଓ ତାଙ୍କ ପ୍ରେମିକକୁ ପୁଲିସ ଧରିବାର ସଫଳ ହୋଇଛି। ଏହି ୨୩ ଦିନ ମଧ୍ୟରେ ଏହି ପ୍ରେମୀଯୁଗଳ ଭାତ ଖାଇ ନାହାଁନ୍ତି। ଜଙ୍ଗଲି ଫଳମୁଳ ସହିତ ନଡ଼ିଆ ଓ ଅନ୍ୟନ୍ୟ ବନଜାତ ସାମଗୀ ଖାଇ ସେମାନେ ଏକ ଗୁମ୍ଫା ଭିତରେ ଦୀର୍ଘ ୨୩ ଦିନ ହେବ ରହିଥିଲେ ବୋଲି ପୁଲିସ କହିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଜର୍ଜ ଓରଫ ଅପ୍ପୁକୁଟ୍ଟନ(୨୧ ବର୍ଷ) ନାମକ ଜଣେ ଯୁବକ ତାଙ୍କ ଫାର୍ମ ମାଲିକଙ୍କ ନାବାଳିକା ଝିଅକୁ ଫସାଇ ସାଙ୍ଗରେ ଧରି ପଳାଇ ଯାଇଥିଲେ। ଏ ନେଇ ନାବାଳିକାଙ୍କ ପରିବାର ଲୋକେ ଜର୍ଜ ନାମରେ ଥାନାରେ ଏତଲା ଦେଇଥିଲେ। ପୂର୍ବରୁ ଜର୍ଜ ନାମରେ ନାବାଳିକା ଦୁଷ୍କର୍ମ ନେଇ ପୋକ୍‌ସୋ ଆକ୍ଟରେ ମାମଲା ରୁଜୁ ହୋଇଥିବା ଜାଣିବା ପରେ ପୁଲିସ ତୁରନ୍ତ ଅଭିଯୋଗ ପାଇ ସତର୍କ ହୋଇ ଉଠିଥିଲା।

ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ମଧ୍ୟ ସେମାନଙ୍କର କୌଣସି ପତ୍ତା ମିଳି ନ ଥିଲା। ପରେ ପୁଲିସ ନାବାଳିକାଙ୍କ ମେବାଇଲ ଫୋନ୍‌ ଲୋକେସନ ଓ ଟାଓ୍ଵାରକୁ ଆଧାର କରି ସେମାନଙ୍କୁ ଠାବ କରିବାକୁ ଚେଷ୍ଠା କରିଥିଲା। ମାତ୍ର ଏହି ପ୍ରେମିକ, ପ୍ରେମିକା ଜଙ୍ଗଲରେ ଗୁମ୍ଫା ଭିତରେ, ଗଛ କୋରଡ଼ରେ ରହୁଥିବାରୁ ସେମାନଙ୍କୁ ଠାବ କରାଯାଇ ପାରି ନ ଥିଲା। ଶେଷରେ ଡିଏସପି ରାଜମୋହନଙ୍କ ନେତୃତ୍ୱରେ ଏକ ୭୫ ଜଣିଆ ଟିମ୍‌ ଗଠନ କରାଯାଇ ଉଭୟଙ୍କୁ ଖୋଜିବା କାର୍ଯ୍ୟ ଆରମ୍ଭ ହୋଇଥିଲା।

ଦିନେ ସକାଳେ ଏହି ଦୁଇଜଣ ଜଙ୍ଗଲରୁ ୨ ଅଖା ଭର୍ତ୍ତି ଫଳ ସଂଗ୍ରହ କରି ତାକୁ ନିକଟସ୍ଥ ଗାଁରେ ବିକ୍ରି କରିବାକୁ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଦେଖିଥିଲା। ପୁଲିସକୁ ଦେଖି ନାବାଳିକା ଓ ଜର୍ଜ ବିପରିତ ଦିଗରେ ଦୌଡ଼ି ପଳାଇଥିଲେ। ପରେ ଖାଦ୍ୟ ଓ ପାନୀୟ ଠିକ୍‌ ନ ଥିବାରୁ ଦୁର୍ବଳ ହୋଇ ପଡ଼ିଥିବା ନାବାଳିକା ଜଣକ ଜଙ୍ଗଲ ଭିତରେ ଥିବା ଏକ ଆଦିବାସୀ ଘରେ ଯାଇ ଶରଣ ନେଇଥିଲେ। ପରେ ସେଠାରୁ ସୂଚନା ପାଇ ପୁଲିସ ନାବାଳିକାଙ୍କୁ ଉଦ୍ଧାର କରିଥିବା ବେଳେ ଜଙ୍ଗଲ ଭିତରୁ ଜର୍ଜକୁ ଖୋଜି ବାହର କରିଥିଲା। ପରେ ନାବାଳିକାଙ୍କର ଡାକ୍ତରୀମାଇନା କରାଯାଇ ହାଇକୋର୍ଟରେ ହାଜର କରାଯାଇଥିଲା। ତେବେ ନାବାଳିକାଙ୍କୁ ତାଙ୍କ ପରିବାର ନେବାକୁ ମନା କରିବାରୁ ନାବାଳିକାଙ୍କୁ ଶିଶୁ କଲ୍ୟାଣ ସମିତି ଅଧିନରେ ରଖାଯାଇଛି। ଅପରପକ୍ଷେ ଜର୍ଜକୁ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର