୧୮୩ରୁ ଅଧିକ ଜୀବଙ୍କ ମୃତ‌ଦେହକୁ ଫ୍ରିଜରେ ରଖିଥିବା ଯୁବକ ଗିରଫ

ନୂଆଦିଲ୍ଲୀ: ଆମେରିକାର ଏରିଜୋନାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ଗ୍ୟାରେଜରେ ଥିବା ଏକ ଫ୍ରିଜରେ ୧୮୩ ଟି ପଶୁଙ୍କ ଅବଶିଷ୍ଟାଂଶ ଲୁଚାଇ ରଖିଥିବା ଘଟଣା ସାମ୍ନାକୁ ଆସିଛି। ଏଥିରେ କୁକୁର, ଠେକୁଆ ଭଳି ପଶୁମାନଙ୍କର ଅବଶେଷ ରହିଥିବା ଜଣାପଡ଼ିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରି ନେଇଛି। ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ପଶୁ ନିର୍ଯାତନା ମାମଲା ରୁଜୁ ହୋଇଛି।

ରିପୋର୍ଟ ଅନୁଯାୟୀ, ବ୍ୟକ୍ତି ଜଣକ କିଛି ପ୍ରାଣୀକୁ ଜୀବନ୍ତ ଫ୍ରିଜରେ ରଖି ଦେଇଥିଲେ। ଆଉ ଫ୍ରିଜରେ ଥଣ୍ଡା ହେତୁ ପଶୁଙ୍କ ମୃତ୍ୟୁ ହୋଇଯାଇଥିଲା। ସେରିଫ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ, ମୋହୱେ କାଉଣ୍ଟିର ଜଣେ ଅଧିକାରୀ ତଥା ପଶୁ ନିୟନ୍ତ୍ରଣ ଅଧିକାରୀମାନେ କହିଛନ୍ତି ଯେ ପଶୁଙ୍କ ମୃତଦେହକୁ ଏପ୍ରିଲ ୩ ତାରିଖରେ ଏକ ଗ୍ୟାରେଜରେ ଥିବା ଫ୍ରିଜରୁ ଜବତ କରାଯାଇଛି।

ଜଣେ ମହିଳା ଅଭିଯୋଗ କରିଥିଲେ ଯେ ୪୩ ବର୍ଷିୟ ମାଇକେଲ ପାଟ୍ରିକ ଟରଲାଣ୍ଡ ତାଙ୍କ ସାପକୁ ଫେରାଇ ନଥିଲେ। ସେ ଏହି ସାପକୁ ପ୍ରଜନନ ପାଇଁ ତାଙ୍କୁ ମାଗିଥିଲେ। ରିପୋର୍ଟ ଅନୁଯାୟୀ, ବ୍ୟକ୍ତି ଜଣକ ନିଜ ଫ୍ରିଜରେ କୁକୁର, କଇଁଛ, ଝିଟିପିଟି, ପକ୍ଷୀ, ସାପ, ମୂଷା ଏବଂ ଠୋକୁଆ ଭଳି ପଶୁଙ୍କ ମୃତଦେହ ରଖିଥିଲେ।

ଯେତେବେଳେ ଘରର ମାଲିକ ଟରଲାଣ୍ଡ ଏବଂ ତାଙ୍କ ପତ୍ନୀଙ୍କୁ ଘର ଖାଲି କରିବାକୁ କହିଥିଲେ ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା। ଖବର ପାଇ ପୁଲିସ ଟରଲାଣ୍ଡଙ୍କୁ ଗିରଫ କରିଥିଲା। ଆଉ ଅଭିଯୁକ୍ତ ବି ନିଜ ଦୋଷ ପୁଲିସ ସମ୍ମୁଖରେ ସ୍ବୀକାର କରିଥିଲା।

ସମ୍ବନ୍ଧିତ ଖବର