ପୁଲିସ ସାଜିଲା ନୀରବ ଦ୍ରଷ୍ଟା, ଗଛରେ ଓଲଟା ଝୁଲାଇ ପିଟିପିଟି ହତ୍ୟା

ମୁମ୍ବାଇ: ସୋସିଆଲ ମିଡିଆରେ ଏକ ଭିଡିଓ ଗତ ୪-୫ଦିନ ହେବ ଖୁବ୍‌ ଭାଇରାଲ ହୋଇଛି। ଏହି ଭିଡିଓ ମହାରାଷ୍ଟ୍ରର ଥାଣେର ବୋଲି କୁହାଯାଇଛି। ଭିଡିଓରେ ଦେଖିବାକୁ ମିଳୁଛି, ଜଣେ ବ୍ୟକ୍ତିଙ୍କୁ ଗଛରେ ଓଲଟା ଝୁଲାଇ କେତେକ ଲୋକ ଅମାନୁଷିକ ଭାବେ ନିସ୍ତୁକ ମାଡ ମାରି ଚାଲିଛନ୍ତି। ତେବେ ଏହି ଭିଡିଓର ସବୁଠାରୁ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ହେଲା, ଯେତେବେଳେ ଲୋକମାନେ ଏହି ବ୍ୟକ୍ତିଙ୍କୁ ମାଡ ମାରୁଛନ୍ତି, ସେହି ସ୍ଥାନରେ ଖାକି ପୋଷାକ ପିନ୍ଧି ଦୁଇ ପୁଲିସ ଅଧିକାରୀ ମୁକଦର୍ଶକ ହୋଇ ଛିଡା ହୋଇଛନ୍ତି।

ସୂଚନାଯୋଗ୍ୟ, ୨୮ବର୍ଷିଅ ପୀଡିତ ପାଗଳ ଥିଲା। ତାକୁ ଗଛରେ ଓଲଟା ଝୁଲାଇ ଲୁହା ରଡରେ ଧାରୁଆ ଅସ୍ତ୍ରରେ ଲୋକମାନେ ପିଟି ଚାଲିଥିଲେ, ଯେ ପର୍ଯ୍ୟନ୍ତ ତାର ମୃତ୍ୟୁ ହୋଇ ନଥିଲା। ଗଛରେ ଝୁଲିଥିବା ଅବସ୍ଥାରେ ହିଁ ପୀଡିତଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଭିଡିଓ ସାମ୍ନାକୁ ଆସିଲା ପରେ ମାଡ ମାରୁଥିବା ତିନି ଅଭିଯୁକ୍ତ ଅମିତ ପାଟିଲ, ସାଗର ପାଟିଲ ଓ ବଳରାମ ଫୁରାଦଙ୍କୁ ପୁଲିସ ଗିରଫ କରିଛି।

ସେହିପରି ଭିଡିଓରେ ନଜର ଆସୁଥିବା ଦୁଇ ପୁଲିସ ଅଧିକାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି। ମୃତ ଯୁବକଙ୍କ ପରିଚୟ ଏଯାବତ ମିଳିପାରି ନାହିଁ। କାହିଁକି ଏହି ମୃତକଙ୍କୁ ଲୋକମାନେ ଏପରି ପିଟୁଥିଲେ ସେ ସମ୍ପର୍କରେ କୌଣସି ସୂଚନା ମିଳି ପାରିନାହିଁ।

ସ୍ଥାନୀୟଲୋକଙ୍କ କହିବାନୁସାରେ, ପୀଡିତ ଏକ ଟ୍ରକରୁ ଓହ୍ଲାଇ ସେଠାରେ ଥିବା ଦୋକାନ ଉପରକୁ ପଥରମାଡ କରିବାରେ ଲାଗିଥିଲେ। କିଛିସମୟପରେ ଲୋକମାନେ ଏକାଠି ହୋଇ ପୀଡିତଙ୍କୁ ଗଛରେ ବାନ୍ଧି ପକାଇଥିଲେ।

ଥାଣେ ପୁଲିସ ମୁତାବିକ, ପୀଡିତଙ୍କ ପାଖରୁ କିଛି କାଗଜପତ୍ର ମିଳିଛି। ଯେଉଁଥିରୁ ସେ ଉତ୍ତରପ୍ରଦେଶର ଆଜମଗଢ଼ର ବାସିନ୍ଦା, ତାଙ୍କର ମେଣ୍ଟାଲ ହସ୍‌ପିଟାଲରେ ଚିକିତ୍ସା ଚାଲୁଥିଲା ବୋଲି ଅନୁମାନ କରାଯାଉଛି।

 

ସମ୍ବନ୍ଧିତ ଖବର